ଭୁବନେଶ୍ୱର: ଶନିବାର ଦିନ ଭୁବନେଶ୍ୱରର ଇନଫୋଭ୍ୟାଲିରେ SiCSem ପ୍ରାଇଭେଟ୍ ଲିମିଟେଡର ୨୩ ଏକର ଜମିରେ କମ୍ପାଉଣ୍ଡ ସେମିକଣ୍ଡକ୍ଟର ୟୁନିଟର ଭୂମିପୂଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଓଡିଶାର ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ସେଠାରେ ଉପସ୍ଥିତ ରହିଥିଲେ।
ଏହି ପ୍ରକଳ୍ପରେ ୨୦୬୭ କୋଟି ଟଙ୍କା ନିବେଶ ହୋଇଥିବା ବେଳେ ଏହାଦ୍ଵାରା ୫୦୦୦ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ନିଯୁକ୍ତି ପାଇପାରିବେ ବୋଲି ମଧ୍ୟ କୁହାଯାଉଛି। ତେବେ ଏହାର ବାର୍ଷିକ କ୍ଷମତା ୬୦୦୦୦ ୱେଫର୍ ହୋଇଥିବା ବେଳେ ଏହାର ପ୍ୟାକେଜିଂ କ୍ଷମତା ୯୬ ନିୟୁତ ୟୁନିଟ୍ ରହିବ। ଏହା ଦ୍ବାରା ବୈଦ୍ୟୁତିକ ଯାନ, ପ୍ରତିରକ୍ଷା ପ୍ରଣାଳୀ, ରେଳବାଇ ଏବଂ ନବୀକରଣୀୟ ଶକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ମଧ୍ୟ ନିର୍ମାଣ କରାଯାଇପାରିବ ବୋଲି ଆଶା କରାଯାଉଛି।
ସେମିକଣ୍ଡକ୍ଟରଗୁଡ଼ିକ ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ଉପକରଣ ସମେତ ଇଲେକ୍ଟ୍ରୋନିକ୍ ଉପକରଣର ମୂଳ ଉପାଦାନ ଯେପରିକି ଟ୍ରାଞ୍ଜିଷ୍ଟର, ଡାୟୋଡ୍ ଏବଂ ସମନ୍ୱିତ ସର୍କିଟ୍ ମଧ୍ୟ ଉତ୍ପାଦନ କରିଥାନ୍ତି। ଯାହାକି ଇଲେକ୍ଟ୍ରୋନିକ୍ସ ଶିଳ୍ପ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।
ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଏହାର ମୂଳ ଲକ୍ଷ୍ୟ ରହିଛି ଓ ଏହି ସେମିକଣ୍ଡକ୍ଟର ପ୍ରକଳ୍ପ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଡିଜିଟାଲ୍ ଇଣ୍ଡିଆ’ ମିଶନର ଜାତୀୟ ଉଦ୍ଦେଶ୍ୟ ସହିତ ସମନ୍ୱିତ ଅଟେ।
ରାଜ୍ୟରେ ସିଲିକନ୍ କାର୍ବାଇଡ୍ ପ୍ରଯୁକ୍ତିବିଦ୍ୟାରେ ଗବେଷଣାକୁ ଆଗକୁ ବଢ଼ାଇବା ସହ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ଆଇଆଇଟି ଭୁବନେଶ୍ୱରରେ ୬୪ କୋଟି ଟଙ୍କାର ଏକ ଗବେଷଣା ଏବଂ ନବସୃଜନ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ନିଜର X ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି।ତେବେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଏହାକୁ ସୁନିଶ୍ଚିତ କରିଛନ୍ତି।
ଭାରତ ବର୍ତ୍ତମାନ ସେମିକଣ୍ଡକ୍ଟର ଉପାଦାନ ପାଇଁ ଚୀନ୍, ତାଇୱାନ, ଦକ୍ଷିଣ କୋରିଆ ଏବଂ ସିଙ୍ଗାପୁର ଭଳି ଦେଶ ଉପରେ ନିର୍ଭର କରୁଛି। ତେଣୁ ଏହି ପ୍ରକଳ୍ପ ଦ୍ଵାରା ଓଡ଼ିଶାର ପ୍ରଯୁକ୍ତିବିଦ୍ୟା କ୍ଷମତା ବୃଦ୍ଧି ହେବା ସହ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ଆତ୍ମନିର୍ଭରଶୀଳ ଭାରତ ତିଆରି ହୋଇପାରିବ ବୋଲି ଅଧିକାରୀମାନେ କହିଛନ୍ତି।
Comments are closed.