ନୂଆଦିଲ୍ଲୀ:ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ଅଧାରୁ ଭାରତର ଷ୍ଟାର ସ୍ପିନର କୂଲଦୀପ ଯାଦବ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ୩ଟି ମୁକାବିଲା ଖେଳାଯାଇଛି । ସିରିଜ ୧-୧ ସମାନ ସ୍ଥିତିରେ ରହିଛି । କୁଲଦୀପ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି କରିବେ । ଭାରତୀୟ ଟିମ ମ୍ୟାନେଜମେଂଟ କୂଲଦୀପଙ୍କୁ ରିଲିଜ କରିବା ପାଇଁ ଅନୁରୋଧ କରିଥିଲେ । ଯାହାକି ବିସିସିଆଇ ମାନି ନେଇଛି । ଏବେ ତାଙ୍କୁ ଭାରତ ଏ ଟିମରେ ସାମିଲ କରାଯାଇଛି । ନଭେମ୍ବର ୬ରୁ ଭାରତ ଏ ଏବଂ ଦକ୍ଷିଣ ଆଫ୍ରିକା ଏ ମଧ୍ୟରେ ଦ୍ୱିତୀୟ ୪ ଦିବସୀୟ ମ୍ୟାଚ ଆୟୋଜିତ ହେବ ।
ବିସିସିଆଇ ସେଂଟର ଅଫ ଏକ୍ସଲେନ୍ସିରେ ଏହି ମ୍ୟାଚ ଖେଳାଯିବ । ପ୍ରଥମ ୪ ଦିବସୀୟ ମ୍ୟାଚରେ ଭାରତ ବିଜୟ ହାସଲ କରିଥିଲା । ରିଷଭ ପନ୍ତଙ୍କ ୯୦ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । କୂଲଦୀପ ଅଷ୍ଟ୍ରେଲିଆ ଗସ୍ତରେ ୩ଟି ଦିିନିକିଆ ମ୍ୟାଚରୁ ଗୋଟିକରେ ଖେଳିଥିଲେ । ସେହିପରି ପ୍ରଥମ ୨ଟି ଟି୨୦ରେ ଖେଳିଥିବା ବେଳେ ତୃତୀୟ ମ୍ୟାଚରେ ତାଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଥିଲା । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ନଭେମ୍ବର ୧୪ରୁ ଆରମ୍ଭ ହେବ ।
Comments are closed.