ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ପାରାଦୀପ ଠାରେ ଆୟୋଜିତ କଳିଙ୍ଗ ବାଲିଯାତ୍ରାର ଉଦ୍ଘାଟନୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳିଙ୍ଗ ବାଲିଯାତ୍ରା ହେଉଛି ଓଡ଼ିଆ ସାଧବ ପୁଅଙ୍କ ସାହସର ପ୍ରତୀକ ଆଉ ସେଇଥିପାଇଁ ପାରାଦୀପ ଆଜି ପୂର୍ବ ଭାରତରେ ବିକାଶର ମୁଖଶାଳା ପାଲଟିଛି ଏବଂ ଓଡ଼ିଶାର ଅର୍ଥନୈତିକ ପ୍ରଗତିର ଦ୍ୱାରଦେଶ।
ଓଡ଼ିଶାକୁ ପାରାଦୀପ ମାଧ୍ୟମରେ କିଭଳି ସମୃଦ୍ଧ କରାଯିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ପାରାଦୀପକୁ ଗ୍ରୀନ ହାଇଡ୍ରୋଜେନ ହବ ହେବ ବୋଲି ଘୋଷଣା କରିଛନ୍ତି। ଏହାସହିତ ପାରାଦୀପକୁ ପର୍ଯ୍ୟଟନର କେନ୍ଦ୍ରସ୍ଥଳୀ କରିବା ପାଇଁ ମଙ୍ଗଳା ନଦୀରେ କ୍ରୁଜ ଟର୍ମିନାଲ ନିର୍ମାଣ ହେବ ଏବଂ ରାଜ୍ୟ ସରକାର ଏଥିପାଇଁ ୫୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିଛନ୍ତି। ପାରାଦୀପ ସହରରେ ଖୁବଶୀଘ୍ର ଏୟାର ପୋର୍ଟ ହେବ ଏବଂ ଏବେ ପାରାଦୀପ କେବଳ ଜଳପଥ ଓ ସ୍ଥଳ ପଥ ନୁହେଁ ବରଂ ଆକାଶପଥ ସହିତ ମଧ୍ୟ ସଂଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବାଲିଯାତ୍ରା ହେଉଛି ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଏକ ଗୌରବୋଜ୍ଜଳ ଉତ୍ସବ । ଏହା ଆମକୁ ମନେପକାଏ ଯେ – ଆମ ପୂର୍ବଜମାନେ ସମୁଦ୍ରର ଉଚ୍ଚ ତରଙ୍ଗକୁ ଜୟ କରି, ଜାହାଜ ନେଇ ସୁବର୍ଣ୍ଣ ଦ୍ୱୀପ ଓ ବିଭିନ୍ନ ଦେଶ ସହିତ ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲେ। ପାରାଦୀପ ଓଡିଶାର ବିକାଶର ଏକ ଅଭିନ୍ନ ଅଙ୍ଗ। ପାରାଦୀପ ବାଲିଯାତ୍ରା ବ୍ୟବସାୟ ଓ ପରମ୍ପରାର ଅପୂର୍ବ ସମ୍ମିଶ୍ରଣ। ଏହି ବାଲିଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଅନେକ ବ୍ୟବସାୟୀ ଏବଂ ବ୍ୟବସାୟିକ ଅନୁଷ୍ଠାନ ନିଜ ନିଜ ସାମଗ୍ରୀ ଏବଂ ସେବା ପ୍ରଦର୍ଶନ କରିବେ। ଏହା ଆମର ସ୍ଥାନୀୟ ଲୋକ ଏବଂ ବ୍ୟବସାୟୀଙ୍କ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିବ। ଆମ ଶିଳ୍ପୀମାନଙ୍କୁ ସଶକ୍ତ କରିବା, ତାଙ୍କର କୌଶଳକୁ ନୂଆ ବଜାର ଯୋଗାଇବା, ଓଡ଼ିଶା ସରକାରର ପ୍ରାଥମିକତା।
ପାରାଦୀପ ବନ୍ଦର ପୂର୍ବ ଭାରତର ଏକ ବଡ ବ୍ୟବସାୟିକ ବନ୍ଦର। ବନ୍ଦର ସହିତ ପାରାଦୀପର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ସରକାର ସମସ୍ତ ପ୍ରକାର କାର୍ଯ୍ୟ କରିବେ। ପାରାଦୀପକୁ କେବଳ ଶିଳ୍ପସମୃଦ୍ଧ ଅଞ୍ଚଳ ନୁହେଁ, ପାରାଦୀପରେ ଗ୍ରୀନଫିଲଡ୍ ବିମାନ ବନ୍ଦର ପ୍ରତିଷ୍ଠା, ଭୁବନେଶ୍ୱର-ଖୋର୍ଦ୍ଧା-ଜଟଣୀ-କଟକ-ପାରାଦୀପ ଓ ପୁରୀକୁ ନେଇ ଏକ ମହାନଗରୀ ବିକଶିତ କରିବା, ଶିଳ୍ପ କରିଡର ପ୍ରସ୍ତୁତ କରିବା, ପାରାଦୀପ ବେଳାଭୂମିକୁ ପର୍ଯ୍ୟଟନର ବିକାଶ ଉପଯୋଗୀ କରିବା ଇତ୍ୟାଦି ଅନେକ ଯୋଜନା ଆମର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Comments are closed.