ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଜୟରାମ ଗଡକରୀଙ୍କ ଦ୍ୱାରା ୮୪ତମ ଭାରତୀୟ ସଡକ କଂଗ୍ରେସ ସମାବେଶ ଉଦଘାଟନ ହୋଇଯାଇଛି । ଏହି ଅବସରରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଓଡିଶା ପାଇଁ ୧୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସଡକ ଭିତ୍ତିଭୂମି ପାଣ୍ଠି ଘୋଷଣା କରିଛନ୍ତି ।
ଏଥି ସହିତ ସେ କହିଥିଲେ ଯେ, ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ସଡକ ନିର୍ମାଣ କରାଯାଉଛି । ତେଣୁ, ଭୁବନେଶ୍ୱରର କଠିନ ବର୍ଜ୍ୟବସ୍ତୁକୁ ସଡକ ନିର୍ମାଣ କ୍ଷେତ୍ରରେ ଉପଯୋଗ କରି ସ୍ୱଚ୍ଛ ଭୁବନେଶ୍ୱର ଗଠନ କରିବାକୁ ପରାମର୍ଶ ଦେଇଥିଲେ ।
ଉଦ୍ଘାଟନୀ ଅବସରରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ଉଦ୍ବୋଧନ ଦେଇ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ କହିଥିଲେ ଯେ, ଭାରତୀୟ ସଡକ କଂଗ୍ରେସ ହେଉଛି ଭାରତୀୟ ରୋଡ ଇଞ୍ଜିନିୟରିଙ୍ଗ୍ ର ଆତ୍ମା । ଏହି ସମାବେଶ ହେଉଛି ସଡକ ଭିତ୍ତିଭୂମି ନିର୍ମାଣ, ଗବେଷଣା, ଇଞ୍ଜିନିୟରିଙ୍ଗ୍ ଓ ଇନୋଭେସନ୍ ପାଇଁ ଏକ ନଲେଜ ପ୍ଲାଟଫର୍ମ ।
ସେ କହିଥିଲେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସଡକ ନିର୍ମାଣ କ୍ଷେତ୍ରରେ ଦେଶ ଆଜି ଅଗ୍ରଗତି କରିଛି, ଯାତାୟତ ସମୟ ହ୍ରାସ ପାଇଛି । ଆଗାମୀ କିଛି ଦିନ ଭିତରେ ଭାରତ ସଡକ ନେଟୱର୍କ କ୍ଷେତ୍ରରେ ବିଶ୍ୱରେ ଏକ ନମ୍ବର ହେବାକୁ ଯାଉଛି। ଦେଶବ୍ୟାପୀ ଉନ୍ନତ ମାନର ସଡକ ନିର୍ମାଣ ପାଇଁ ୨ ଲକ୍ଷ ୮୭ ହଜାର କୋଟି ଟଙ୍କାର ପ୍ରାବଧାନ ରହିଛି ।
ସେ ପୁଣି କହିଥିଲେ ଆମେ ଟେକ୍ନୋଲୋଜି ବ୍ୟବହାର କରି ଉତ୍ତମ ମାନର ସଡକ ନିର୍ମାଣ ପାଇଁ ପ୍ରୟାସ କରୁଛୁ । ଏଥିପାଇଁ ବିଶ୍ୱସ୍ତରୀୟ DPR ପ୍ରସ୍ତୁତି କରିବା ଆବଶ୍ୟକତା ରହିଛି । ନିଜ ନିଜ ଭିତରେ ବେଷ୍ଟ ପ୍ରାକଟିସେସ୍, ରିସର୍ଚ୍ଚ ଆଣ୍ଡ ଇନୋଭେସନକୁ ବିନିମୟ କରି ଭାରତର ନିର୍ମାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ସେ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ଆମ ଭବିଷ୍ୟତର ଇନ୍ଧନ ହେଉଛି- ହାଇଡ୍ରୋଜେନ୍ । ସେଥିପାଇଁ ଆମେ ଦେଶରେ ଗ୍ରୀନ ହାଇଡ୍ରୋଜେନ୍ ପ୍ରସ୍ତୁତିକୁ ଗୁରୁତ୍ୱ ଦେଉଛୁ। ସଡକ ନିର୍ମାଣ କ୍ଷେତ୍ରରେ ସଡକ ନିରାପତ୍ତା ପ୍ରତି ଧ୍ୟାନ ଦେବା ପାଇଁ ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନୀ ଉଦବୋଧନ ଦେଇ କହିଥିଲେ ଯେ, ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦାୟିତ୍ୱ ନେବା ଠାରୁ ସଡକ ନିର୍ମାଣ କ୍ଷେତ୍ରରେ ଦ୍ରୁତ ଉନ୍ନତି ଆସିଛି । ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନ ଓ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଯୋଗୁ ଆଜି ଉତ୍ତମ ସଡକ ନିର୍ମାଣ କ୍ଷେତ୍ରରେ ଦେଶବ୍ୟାପୀ ବ୍ୟାପକ ପରିବର୍ତ୍ତନ ଆସିଛି । ସ୍ୱାଧୀନତା ପରଠାରୁ ୨୦୧୪ ମସିହା ସୁଦ୍ଧା ଦେଶରେ ମାତ୍ର ୯୧ ହଜାର କିଲୋମିଟର ରାଜପଥ ନିର୍ମାଣ ହୋଇଥିବା ବେଳେ ୨୦୧୪ ରୁ ୨୦୨୪ ଅର୍ଥାତ୍ ମାତ୍ର ଦଶ ବର୍ଷରେ ୫୫ ହଜାର କିଲୋମିଟର ରାଜପଥ ନିର୍ମାଣ କରାଯାଇଛି । ଦେଶରେ ବିଶ୍ୱସ୍ତରୀୟ ସଡକ ନିର୍ମାଣର ଅଗ୍ରଗତି ସମ୍ଭବ ହୋଇଛି କେନ୍ଦ୍ର ମନ୍ତ୍ରୀ ଗଡକରୀଙ୍କ କାର୍ଯ୍ୟଦକ୍ଷତା ଓ ଦୂରଦୃଷ୍ଟୀ ଚିନ୍ତାଧାରା ଯୋଗୁ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୫ ବର୍ଷ ମଧ୍ୟରେ ଆମ ସରକାର ୭୫ ହଜାର କିଲୋମିଟର ସଡକ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି। ଓଡିଶାର ସଡକ ଗୁଡିକୁ ବିଶ୍ୱସ୍ତରୀୟ ମାନର କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। ଆଗାମୀ ଦିନରେ କେନ୍ଦ୍ର ମନ୍ତ୍ରୀଙ୍କର ଏହି ସହଯୋଗ ଓଡିଶାର ବିକାଶକୁ ଆହୁରି ତୀବ୍ର କରିବ।
ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ଦେଶରେ ଜାତୀୟ ରାଜପଥର ବିକାଶରେ ଭାରତୀୟ ସଡକ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡିଶାରେ ଏହି ଭଳି ସମ୍ମାନଜନକ ଆୟୋଜନ ଆମ ପାଇଁ ଗୌରବର କଥା। ଏହି ସମାବେଶରୁ ଯେଉଁ ନିଷ୍କର୍ଷ ଏବଂ ନୂଆ ଚିନ୍ତାଧାରା ବାହାରିବ, ସେଗୁଡିକ ଆମ ଦେଶର ସଡକ ନିର୍ମାଣ କ୍ଷେତ୍ରକୁ ସୁଦୃଢ କରିବାରେ ସାହାଯ୍ୟ କରିବ।
Comments are closed.