ନୂଆପଡା/ଭୁବନେଶ୍ୱର: ନୂଆପଡା ଉପନିର୍ବାଚନରେ ୮୧.୬୩ ପ୍ରତିଶତ ଭୋଟର ମତଦାନ କରିଛନ୍ତି। ସବୁଠୁ ଖାସ କଥା ହେଉଛି ଚଳିତ ବର୍ଷ ସୁନାବେଡା ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଥିବା ବୁଥଗୁଡ଼ିକରେ ଯଥେଷ୍ଟ ଅଧିକ ମତଦାନ ହୋଇଥିବା ନେଇ ସୂଚନା ମିଳିଛି।
ଗତ ମଙ୍ଗଳବାର ଦିନ ଶାନ୍ତିପୂର୍ଣ୍ଣ ଭାବରେ ଏହି ଉପନିର୍ବାଚନ ହୋଇଥିଲା। ଯେଉଁଥିରେ ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ୮ଟି ବୁଥ୍ରେ ପ୍ରାୟ ୭୦ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ତେବେ ଏହି ୮ଟି ବୁଥ୍ ମଧ୍ୟରୁ ଗତିବେଡା, ସୁନାବେଡା ଏବଂ ସୋସେଙ୍ଗରେ ଦୁଇଟି ଏବଂ ଦେଓସିଲ ଓ ଜାମଗାଁରେ ଗୋଟିଏ ଲେଖାଏ ବୁଥରେ ମତଦାନ ହୋଇଥିଲା।କେନ୍ଦ୍ରୀୟ ସଶସ୍ତ୍ର ବାହିନୀର ଉପସ୍ଥିତିରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରାୟ ୪୦୦୦ ଭୋଟର ନିଜର ମତଦାନ କରିଥିବା ନେଇ ଅଧିକାରୀମାନେ କହିଛନ୍ତି। ଅପରାହ୍ନ ୪ଟାରେ ମତଦାନ ଶେଷ ହେବା ପରେ ସମସ୍ତ ୮ଟି ମତଦାନ ଦଳ ବୁଥ୍ ଛାଡ଼ିଥିଲେ। ସେଠାରୁ ସେମାନଙ୍କୁ ଆଇଏଏଫ୍ ହେଲିକପ୍ଟରରେ ନିଆଯାଇ ସନ୍ଧ୍ୟା ପୂର୍ବରୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇ ଦିଆଯାଇଥିଲା।
ଉଚ୍ଚ ଭୂମି ଏବଂ ସୁରକ୍ଷା କାରଣରୁ ଆଠଟି ଦଳର ୪୮ ଜଣ କର୍ମୀଙ୍କୁ ଆକାଶ ମାର୍ଗରେ ଅଣାଯାଇଥିଲା। ଚଳିତ ବର୍ଷ ଉପନିର୍ବାଚନରେ ଭୋଟରଙ୍କ ମତଦାନ ପ୍ରାୟ ୮୨ ପ୍ରତିଶତ ଛୁଇଁଥିବାରୁ ସାମଗ୍ରିକ ମତଦାନ ସଂଖ୍ୟା ଅତ୍ୟନ୍ତ ପ୍ରଭାବଶାଳୀ ଥିବା ନେଇ ଆଶା କରାଯାଉଅଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ ମତଦାନ ରେକର୍ଡ ସଂଖ୍ୟା ଗଣତି ପରେ ଏହା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।
ତେବେ ସମ୍ବେଦନଶୀଳ ଏବଂ ସଖୀ ବୁଥ୍ ସମେତ ୩୫୮ ମତଦାନ କେନ୍ଦ୍ରରେ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ସମାପ୍ତ ହୋଇଥିବା ନେଇ ସିଇଓ ଆର ଏସ୍ ଗୋପାଳନ କହିଛନ୍ତି।
ତେବେ ଏହା ମଧ୍ୟରେ ଦୁଇଟି ବୁଥରେ ଭୋଟ ଗୋପନୀୟତାର ଉଲ୍ଲଂଘନ କରାଯାଇଥିବାରୁ ପ୍ରିଜାଇଡିଂ ଅଧିକାରୀ ଧନଞ୍ଜୟ ମଲ୍ଲିକ ଏବଂ ସନ୍ଦୀପ କୁମାର ସ୍ୱାଇଁଙ୍କୁ ନିଲମ୍ବିତ କରାଯାଇଥିଲା। ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ମୁଖ୍ୟାଳୟରୁ ମତଦାନ ପ୍ରକ୍ରିୟା ନିରନ୍ତର ତଦାରଖ କରାଯାଇଥିଲା। ନିର୍ବାଚନମଣ୍ଡଳୀର ୩୧୧ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ସମାପ୍ତ ହୋଇଥିଲା। ୪୭ଟି ସମ୍ବେଦନଶୀଳ ବୁଥରେ ମତଦାନ ଗୋଟିଏ ଘଣ୍ଟା ପୂର୍ବରୁ ଶେଷ ହୋଇଥିଲା।
ତେବେ ଏହି ଭୋଟ ଗଣତି ନଭେମ୍ବର ୧୪ରେ ଅନୁଷ୍ଠିତ ହେବ। ଯେଉଁଥିପାଇଁ କର୍ତ୍ତୃପକ୍ଷଙ୍କ ଦ୍ୱାରା ବ୍ୟାପକ ବ୍ୟବସ୍ଥା କରାଯାଇ ଥିବା ନେଇ ସୂଚନା ମିଳିଛି।
Comments are closed.