କନ୍ଧମାଳ: ଭାଙ୍ଗୁଛି ମାଓଗଡ଼। ପୋଲିସକୁ ମିଳୁଛି ସଫଳତା। ୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ ଦେଶ ହେବ। ଆଉ ଏହାର ଲକ୍ଷରେ କନ୍ଧମାଳ ଜିଲ୍ଲାକୁ ମାଓମୁକ୍ତ କରିବା ନେଇ ଅଭିଯାନ ଚାଲୁ ରଖିଛି କନ୍ଧମାଳ ପୋଲିସ। ନିକଟ ଅତୀତରେ ଅନେକ କ୍ୟାଡର ମାଓବାଦୀ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି କ୍ରମରେ ଆଜି ପୁଣି ମାଓବାଦୀ ସଙ୍ଗଠନର ଏକ ଦମ୍ପତି ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି।
ସେମାନେ ହେଲେ ଛତିଶଗଡ଼ ସୁକମା ଜିଲ୍ଲା ପାରଲାଗାଟା ଗ୍ରାମର ଉଙ୍ଗା କଲମା ଓରଫ କିଶୋର(୨୫) ଓ ସୁକମା ଜିଲ୍ଲା ବାଜେ ଥାନା ଗୁମୁ ପଞ୍ଚାୟତର କିଣ୍ଡରାମ ଗ୍ରାମର ମାସେ ମାଣ୍ଡଭୀ(୨୨)। ଏମାନେ ୨୦୧୮ ମସିହାରେ ଲାଲ ବାହିନୀରେ ଯୋଗ ଦେଇ ବାଶଧାରା-ଘୁମୁସର-ନୟାଗଡ଼(ବିଜିଏନ) ସଙ୍ଗଠନରେ ପାର୍ଟି ମେମ୍ବର ହିସାବରେ କାମ କରୁଥିଲେ। ଦକ୍ଷିଣ-କେନ୍ଦ୍ର ଓଡିଶା ମଧ୍ୟ ଦେଇ ଲାଲବାହିନୀର ଉତ୍ତର-ଦକ୍ଷିଣ କରିଡରକୁ ପୁନଃ ସକ୍ରିୟ କରିବା ପାଇଁ ଏମାନେ କାମ କରୁଥିଲେ ବୋଲି ସ୍ଥାନୀୟ ଜିଲ୍ଲା ପୁଲିସ ମୂଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର।
ଏମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ସଂଘଟିତ ଅନେକ ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିଥିବା କହିଛନ୍ତି କନ୍ଧମାଳ ଏସପି ହରିଣ ବି ସି। ମାଓ ସଙ୍ଗଠନର ମିଥ୍ୟା ପ୍ରତିଶ୍ରୁତି, ହିଂସାତ୍ମକ କାର୍ଯ୍ୟକଳାପ, ନିର୍ଯାତନା, ବିକାଶକୁ ବିରୋଧ ଭଳି ଜନବିରୋଧୀ କାର୍ଯ୍ୟ ପ୍ରତି ବୀତସ୍ପୃହ ହେବା ସହିତ ସରକାରଙ୍କ ପକ୍ଷରୁ ଘୋଷିତ ଆକର୍ଷଣୀୟ ଥଇଥାନ ପ୍ୟାକେଜ ଦ୍ବାରା ପ୍ରଭାବିତ ହୋଇ ସଙ୍ଗଠନ ଛାଡିବା ସହ ସମାଜର ମୂଖ୍ୟସ୍ରୋତକୁ ଫେରି ଆସିବା ପାଇଁ ନିଷ୍ପତ୍ତି ନେଇଥିବା ଉଭୟ ପ୍ରକାଶ କରିଛନ୍ତି।
Comments are closed.