Latest Odisha News

BREAKING NEWS

ନେପାଳରେ କାହିଁକି ବଢୁଛି ଅସନ୍ତୋଷ; ବିଭିନ୍ନ ସ୍ଥାନରେ କର୍ଫ୍ୟୁ

କାଠମାଣ୍ଡୁ: ମାଧେସୀ ପ୍ରଦେଶର ବାରା ଜିଲ୍ଲାରେ ଜେନ ଜେଡ୍ କର୍ମୀମାନେ ସିପିଏନ୍-ୟୁଏମ୍ଏଲ୍ ସମର୍ଥକଙ୍କ ସହ ଗଣ୍ଡଗୋଳ କରିଥିଲେ। ଯାହାଫଳରେ ଉତ୍ତେଜନା ବୃଦ୍ଧି ପାଇବା ସହ ପ୍ରଶାସନ ସିମ୍ରା ଏବଂ ଆଖପାଖ ଅଞ୍ଚଳରେ କର୍ଫ୍ୟୁ ଜାରି କରିଥିଲା।

ଦଳର ଯୁବ ଜାଗରଣ ଅଭିଯାନରେ ୟୁଏମ୍ଏଲ୍ ନେତା ଶଙ୍କର ପୋଖରେଲ ଏବଂ ମହେଶ ବାସନେଟ ଯୋଗ ଦେବାର ଥିଲା। ଯାହାପରେ ପ୍ରାୟ ସକାଳ ୧୦ଟାରେ ସିମ୍ରା ଚୌକରେ ୧୦୦-୧୫୦ ଯୁବକ ଏକାଠି ଏହାକୁ ବିରୋଧ କରିଥିଲେ। ଏହି ସମୟରେ ୟୁଏମ୍ଏଲ୍ ସମର୍ଥକମାନେ ବିମାନବନ୍ଦର ଆଡକୁ ଯାଉଥିଲେ ଓ ଦୁଇ ଗୋଷ୍ଠୀ ଏହାକୁ ନେଇ ମୁହାଁମୁହିଁ ମଧ୍ୟ ହୋଇଥିଲେ। ୟୁଏମ୍ଏଲ୍ ସମର୍ଥକମାନେ ସେମାନଙ୍କ ଉପରେ ପ୍ରଥମେ ଆକ୍ରମଣ କରିଥିଲେ ଓ ଅନେକ ଯୁବକ ଏଥିରେ ଆହତ ହୋଇ ସିମ୍ରା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ଜେନ ଜେଡ୍ କର୍ମୀମାନେ ଅଭିଯୋଗ କରିଥିଲେ।

ତେବେ କିଛି ଯୁବକ ବିମାନବନ୍ଦର ଯାଇ ଏହାର ଗେଟକୁ କ୍ଷତି ପହଞ୍ଚାଇବା ପରେ ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା।ଯାହାଫଳରେ ସେଠାରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲାଠି ଏବଂ ଲୁହ ବୁହା ଗ୍ୟାସର ବ୍ୟବହାର କରିଥିଲା। କିଛି ସମୟ ମଧ୍ୟରେ ପରିସ୍ଥିତି ଗମ୍ଭୀର ହୋଇଯିବାରୁ ବିମାନବନ୍ଦରରେ ବିମାନ ଚଳାଚଳ ବନ୍ଦ କରିଦିଆଯାଇଥିଲା। ଏଥିସହିତ କାଠମାଣ୍ଡୁରୁ ଆସିଥିବା ଜଣେ କେନ୍ଦ୍ରୀୟ ୟୁଏମଏଲ ନେତାଙ୍କ କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥଗିତ କରି ଦିଆଯାଇଥିଲା।

ଏପରି ପରିସ୍ଥିତିକୁ ଦୃଷ୍ଟି ରେ ରଖି ପ୍ରଶାସନ ଅପରାହ୍ନ ୧୨.୩୦ ରୁ ରାତି ୮ଟା ପର୍ଯ୍ୟନ୍ତ ତ୍ରିଭୁବନ ରାଜପଥ ଏବଂ ବିମାନବନ୍ଦର ଅଞ୍ଚଳର ଉଭୟ ପାର୍ଶ୍ୱରେ ୫୦୦ମିଟର ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଥିଲେ। କର୍ଫ୍ୟୁ ସତ୍ତ୍ୱେ ମଧ୍ୟ ଉତ୍ତେଜନା କମିବା ଭଳି ନଜର ଆସିନଥିଲା ଓ ଅନେକ ଜେନ ଜେଡର ଯୁବକ ମାନେ ସାତ ଜଣ ୟୁଏମଏଲ କର୍ମୀଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ।ତେବେ ଏହି ପ୍ରତିବାଦ କାର୍ଯ୍ୟକ୍ରମକୁ ବନ୍ଦ କରିବା ଉଦ୍ଦେଶ୍ୟରେ କରାଯାଇଥିବା ନେଇ ୟୁଏମଏଲ ଦାବି କରୁଛି। ଅପରପକ୍ଷେ ଏହା ଏକ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନୀ ଥିଲା ବୋଲି ଜେନ ଜେଡ୍ ପ୍ରକାଶ କରିଛି। ଏହି ଉତ୍ତେଜନା ହେବାପରେ ମଧ୍ୟ ୟୁଏମଏଲ ପରୱାନୀପୁରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଯେଉଁଥିରେ ପ୍ରାୟ ୩୦୦୦ ଲୋକ ଅଂଶଗ୍ରହଣ କରିଥିବା ନେଇ କୁହାଯାଉଛି।

 

Comments are closed.