ନୂଆଦିଲ୍ଲୀ: ଭାରତ ୧୯୪୭ରେ ସ୍ୱାଧୀନତା ପାଇବା ପରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଯୋଗାଯୋଗ କ୍ଷେତ୍ରରେ ଅନେକ ଅଗ୍ରଗତି କରିଛି। ସେତେବେଳେ ଦେଶରେ କମ୍ପ୍ୟୁଟର ନଥିଲା, ଆଧୁନିକ ଯୋଗାଯୋଗ ବ୍ୟବସ୍ଥା ନଥିଲା, ଅନ୍ତରୀକ୍ଷ ପ୍ରଯୁକ୍ତିବିଦ୍ୟା ତ ଦୂରର କଥା। କିନ୍ତୁ ପରବର୍ତ୍ତୀ ଦଶନ୍ଧିଗୁଡ଼ିକରେ ଭାରତ ଏତେ ଦ୍ରୁତ ଗତିରେ ଆଗେଇଛି ଯେ ଆଜି ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ଓ ଅନ୍ତରୀକ୍ଷ ଶକ୍ତି ଭାବେ ପରିଚିତ। ଏହି ଯାତ୍ରାରେ ଏକ ବଡ଼ ମୋଡ଼ ଆସିଥିଲା ୧୯୯୫ ମସିହାରେ, ଯେତେବେଳେ ସାଧାରଣ ଲୋକଙ୍କ ପାଇଁ ଭାରତରେ ପ୍ରଥମ ଥର ଇଣ୍ଟରନେଟ୍ ଆସିଲା। କିନ୍ତୁ ପ୍ରଶ୍ନ ଉଠେ – ୧୯୯୫ ପୂର୍ବରୁ ଇଣ୍ଟରନେଟ୍ ନଥାଇ ଇସ୍ରୋ କିପରି କାମ କରୁଥିଲା? ଆସନ୍ତୁ ଆଜି ଏହି ରହସ୍ୟ ଜାଣିବା….
ଭାରତରେ ଇଣ୍ଟରନେଟ୍ର ଆରମ୍ଭ କେବେ ଓ କିପରି ହେଲା?
୧୫ ଅଗଷ୍ଟ ୧୯୯୫ରେ ଭାରତରେ ସାଧାରଣ ନାଗରିକଙ୍କ ପାଇଁ ପ୍ରଥମ ଥର ଇଣ୍ଟରନେଟ୍ ସେବା ଆରମ୍ଭ ହେଲା। ବିଦେଶ ସଞ୍ଚାର ନିଗମ ଲିମିଟେଡ୍ (VSNL) ଏହି ସେବା ଆଣି ସାଧାରଣ ଲୋକଙ୍କ ହାତରେ ଇଣ୍ଟରନେଟ୍ ପହଞ୍ଚାଇଦେଲା। ତା’ ପୂର୍ବରୁ ଇଣ୍ଟରନେଟ୍ କେବଳ ସରକାରୀ ବିଭାଗ, ଶିକ୍ଷାନୁଷ୍ଠାନ ଓ ଗବେଷଣା ନେଟୱାର୍କ ପର୍ଯ୍ୟନ୍ତ ସୀମିତ ଥିଲା। ୧୯୮୬ରେ IIT ଓ NCST ମଧ୍ୟରେ ଡାୟଲ-ଅପ୍ ଇ-ମେଲ୍ ସେବା ଆରମ୍ଭ ହୋଇଥିଲା, କିନ୍ତୁ ଘରେ ବସି ଇଣ୍ଟରନେଟ୍ ବ୍ୟବହାର କରିବାର ସୁଯୋଗ କାହାରି ପାଖରେ ନଥିଲା। ସେତେବେଳେ କିଛି ଉତ୍ସାହୀ ଯୁବକ Bulletin Board System (BBS) ମାଧ୍ୟମରେ କମ୍ପ୍ୟୁଟର ଯୋଡ଼ୁଥିଲେ। ୧୯୮୯ରେ ମୁମ୍ବାଇର ଛାତ୍ରମାନେ ଦେଶର ପ୍ରଥମ ଓ ସବୁଠାରୁ ବଡ଼ BBS ‘Live Wire’ ଆରମ୍ଭ କରିଥିଲେ, ଯାହା ଭାରତର ପ୍ରଥମ ଡିଜିଟାଲ୍ କମ୍ୟୁନିଟି ଗଢ଼ି ଉଠାଇଥିଲା। ତଥାପି ପୂର୍ଣ୍ଣାଙ୍ଗ ଇଣ୍ଟରନେଟ୍ ତଥା ଏପର୍ଯ୍ୟନ୍ତ ଦୂରରେ ଥିଲା।
ଇଣ୍ଟରନେଟ୍ ନଥାଇ ଇସ୍ରୋ କିପରି କାମ କରୁଥିଲା?
ଭାରତର ଅନ୍ତରୀକ୍ଷ କାର୍ଯ୍ୟକ୍ରମ ଇଣ୍ଟରନେଟ୍ ଆସିବାର ବହୁ ପୂର୍ବରୁ ଆରମ୍ଭ ହୋଇଯାଇଥିଲା ଏବଂ ଏହା ସଂପୂର୍ଣ୍ଣ ଦେଶୀୟ ପ୍ରଯୁକ୍ତିବିଦ୍ୟା ଉପରେ ଚାଲୁଥିଲା। ୧୯୬୦ ଦଶନ୍ଧିରେ ଇସ୍ରୋର ପ୍ରଥମ ରକେଟ୍ଗୁଡ଼ିକ ଗୀର୍ଜା ଲ୍ୟାବରେ ତିଆରି ହେଉଥିଲା ଏବଂ ଅନେକ ଥର ସାଇକଲ୍ ଓ ବଳଦ ଗାଡ଼ିରେ ଲଞ୍ଚ ପ୍ୟାଡ୍ ଯାଏ ପଠାଯାଉଥିଲା। ସେତେବେଳେ ନା ଇଣ୍ଟରନେଟ୍ ଥିଲା, ନା କମ୍ପ୍ୟୁଟର ନେଟୱାର୍କ… ତଥାପି ବୈଜ୍ଞାନିକମାନେ ହାତରେ ଗଣନା, ସୀମିତ କମ୍ପ୍ୟୁଟର ଓ ଦେଶୀୟ ଯୋଗାଯୋଗ ବ୍ୟବସ୍ଥା ସାହାଯ୍ୟରେ କାମ ଚଳାଉଥିଲେ।
ଇଣ୍ଟରନେଟ୍ ପୂର୍ବରୁ ଇସ୍ରୋର ସଫଳତା
• ୧୯୭୫ରେ, ଅର୍ଥାତ୍ ଇଣ୍ଟରନେଟ୍ ଆସିବାର ୨୦ ବର୍ଷ ପୂର୍ବରୁ ଭାରତ ନିଜର ପ୍ରଥମ ଉପଗ୍ରହ ‘ଆର୍ଯ୍ୟଭଟ୍ଟ’ ଅନ୍ତରୀକ୍ଷକୁ ପଠାଇଥିଲା।
• ଗ୍ରାମ୍ୟ ଅଞ୍ଚଳରେ ଶିକ୍ଷା ଓ କୃଷି ଜ୍ଞାନ ପହଞ୍ଚାଇବା ପାଇଁ ଉପଗ୍ରହ ମାଧ୍ୟମରେ ଟେଲିଭିଜନ୍ ପ୍ରସାରଣ କରାଯାଉଥିଲା। ହଜାର ହଜାର ଗାଁରେ ଏହି କାର୍ଯ୍ୟକ୍ରମ ପହଞ୍ଚୁଥିଲା।
• ୧୯୮୦ରେ SLV-3 ରକେଟ୍ ଦ୍ବାରା ନିଜ ଉପଗ୍ରହ ଲଞ୍ଚ କରି ଭାରତ ବିଶ୍ବର ଷଷ୍ଠ ଦେଶ ହୋଇଥିଲା ଯିଏ ନିଜ ରକେଟ୍ରେ ଉପଗ୍ରହ ପଠାଇ ପାରୁଥିଲା।
• ଇଣ୍ଟରନେଟ୍ ନଥାଇ ମଧ୍ୟ ଇସ୍ରୋ ନିଜର ଦେଶୀୟ ସାଟେଲାଇଟ୍ ନେଟୱାର୍କ, ଗ୍ରାଉଣ୍ଡ ଷ୍ଟେସନ୍, ରେଡିଓ ଯୋଗାଯୋଗ ଓ ବୈଜ୍ଞାନିକ କମ୍ପ୍ୟୁଟିଂ ସିଷ୍ଟମ୍ ଉପରେ ନିର୍ଭର କରି ଅନ୍ତରୀକ୍ଷ ଗବେଷଣାକୁ ନିରନ୍ତର ଆଗେଇ ନେଉଥିଲା।
ଅର୍ଥାତ୍ ଇଣ୍ଟରନେଟ୍ ନଥିଲେ ମଧ୍ୟ ଭାରତୀୟ ବୈଜ୍ଞାନିକମାନଙ୍କର ଦୃଢ଼ ଇଚ୍ଛାଶକ୍ତି, ଦେଶୀୟ ଉଦ୍ଭାବନ ଓ କଠିନ ପରିଶ୍ରମ ଇସ୍ରୋକୁ ବିଶ୍ୱ ମାନଚିତ୍ରରେ ସ୍ଥାନ ଦେଇଥିଲା। ୧୯୯୫ର ଇଣ୍ଟରନେଟ୍ କ୍ରାନ୍ତି ତ କେବଳ ଏହି ଯାତ୍ରାକୁ ଆଉଥରେ ଗତି ଦେଲା।
Comments are closed.