ଭୁବନେଶ୍ୱର:ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କୁସୁମଯୋଡ଼ି ପଞ୍ଚାୟତ ଅନ୍ତର୍ଗତ ଶାଳପଡ଼ା ଗାଁରେ ଗୁରୁବାର ବଜ୍ରାପାତରେ ଜଳିଯାଇଛି ୪ ବଖରା ଘର। ଏଥିରେ ଦୁଇ ପରିବାର ସର୍ବସ୍ବାନ୍ତ ହୋଇପଡ଼ିଛନ୍ତି।
ଆଜି ଅପରାହ୍ଣରେ ବଜ୍ରପାତରେ ଗାଁର କୀର୍ତ୍ତନ ନାଏକଙ୍କ ଦୁଇ ବଖରା ଓ ଚୈତନ୍ୟ ନାଏକଙ୍କର ଦୁଇ ବଖରା ଚାଳ ଘରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ଦୁଇ ପରିବାରର ଘରେ ଥିବା ସବୁ ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି।
ସେହିପରି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେ କାଳବୈଶାଖୀ ପ୍ରଭାବରେ ଗଛ ଉପୁଡିବା ସହ ବିଜୁଳି ତାର ଛିଣ୍ଡିଛି । ଗଛ ପଡ଼ିଥିବାରୁ ପୁରୁଣା କଟକ- ସମ୍ବଲପୁର ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଅଗ୍ନିଶମ କର୍ମଚାରୀ ରାସ୍ତାରୁ ଗଛଗୁଡ଼ିକ କାଟି ସଫା କରିବାପରେ ଧୀରେ ଧୀରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି ।
ଅନ୍ୟପଟେ ଗଞ୍ଜାମ ଜିଲ୍ଲା ସୋରଡ଼ାରେ ଅପରାହ୍ନରେ କାଳବୈଶାଖୀ ରଚିଛି ତାଣ୍ଡବ । ଝଡ଼ପବନରେ ସୋରଡ଼ା ଓ ଆଖପାଖ ଗାଁରେ ବିରାଟ ଗଛ ସବୁ ଉପୁଡି ପଡିଛି । କେଉଁଠି କେଉଁଛି ଗଛ ପଡି କିଛି ଲୋକଙ୍କ ଘର ଭାଙ୍ଗିଛି ।