Latest Odisha News

BREAKING NEWS

ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା, ଚାଷୀଙ୍କ ପାଇଁ ମଣ୍ଡିରେ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ମଙ୍ଗଳବାର ଅର୍ଥାତ୍ ଆସନ୍ତାକାଲି ଠାରୁ ରାଜ୍ୟରେ ଧାନକିଣା ଆରମ୍ଭ ହେବ । ଚଳିତବର୍ଷ ଧାନ କିଣା ଟାର୍ଗେଟ ଅଧିକ ରଖିଛନ୍ତି ରାଜ୍ୟ ସରକାର । ଚାଷୀଙ୍କ ପାଇଁ ମଣ୍ଡି ଗୁଡ଼ିକରେ ଏଥର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ମଣ୍ଡି ଗୁଡିକରେ ଖାଦ୍ୟ, ପାନୀୟ, ଶୌଚାଳୟ ଭଳି ସବୁ ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।

ମନ୍ତ୍ରୀ କହିଛନ୍ତି ଯେ, ଠିକ ସମୟରେ ଗାଡ଼ି ପହଞ୍ଚାଇବା ପାଇଁ ମିଲ ମାଲିକଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଧାନ କିଣା ଉପରେ ନଜର ରଖିବାକୁ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କଟନୀ ଛଟନୀ ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି ବୋଲି ସମବାୟ ମନ୍ତ୍ରୀ କହିଛନ୍ତି ।

ଛୋଟ ଚାଷୀ, ପ୍ରକୃତ ଚାଷୀ, ଭାଗ ଚାଷୀମାନଙ୍କଠାରୁ ଧାନ କିଣା ପାଇଁ ବିଶେଷ ଗୁରୁତ୍ୱ ରହିବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଧାନ କିଣାର ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ । ଧାନ ସଂଗ୍ରହ ପରିଚାଳନା ନେଇ ମାର୍ଗଦର୍ଶିକା ସମସ୍ତ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି । ଧାନ ଚାଷ ହୋଇଥିବା ଅଞ୍ଚଳ ବାବଦରେ ସାଟେଲାଇଟ୍ ଯାଞ୍ଚ ସମସ୍ତ ଜିଲ୍ଲାରେ କରାଯାଇଛି । ଆଧାରଭିତ୍ତିକ ପ୍ରମାଣ ଜରିଆରେ ଚାଷୀଙ୍କର ଧାନ ସଂଗ୍ରହ ନେଇ ପ୍ରମାଣ କରାଯିବ ।

୨୦୨୪-୨୫ ଖରିଫ୍ ଋତୁରେ ଧାନ ବିକ୍ରି କରିବାକୁ ୧୭.୫୦ ଲକ୍ଷ ଚାଷୀ ପଞ୍ଜୀକରଣ କରିଥିଲେ । ମାତ୍ର ଏ ବର୍ଷ ୨ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଥିବାରୁ ଏ ବର୍ଷ ଧାନ ସଂଗ୍ରହ ଟାର୍ଗେଟ୍ ବୃଦ୍ଧି କରାଯାଇଛି । ଉଭୟ ଖରିଫ ଓ ରବି ଋତୁ ପାଇଁ ୯୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି ।

Comments are closed.