ଜଗତସିଂହପୁର: ଜଗତସିଂହପୁର ପୋଲିସ ପକ୍ଷରୁ ବିଳମ୍ବିତ ରାତିରେ ଜୋର୍ଦାର ଚଢ଼ଉ । ରାତିରେ ତରିକୁନ୍ଦ ହାଇସ୍କୁଲ ପଛପାଖ ଦରିଆପୁର ବସ୍ତିରେ ପୋଲିସ ଚଢ଼ଉ କରି ୨୧ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି । ଏହି ବସ୍ତିରେ ଥିବା ମଦ୍ରାସାରେ କିଛି ବାଂଲାଦେଶୀ ରହୁଥିବା ଖବର ମିଳିବା ପରେ ପୋଲିସ ଚଢାଉ କରିଥିଲା । ଅଟକ ବାଂଲାଦେଶୀଙ୍କ ମଧ୍ୟରେ ୬ ଜଣ ନାବାଳକ ଅଛନ୍ତି । ଏମାନଙ୍କୁ କିଛି ଦିନ ହେବ ଏକ ମଦ୍ରାସାରେ ଆଣି ରଖାଯାଇଥିଲା ।
ଅତିରିକ୍ତ ଏସ୍ପି ସତ୍ୟବ୍ରତ ଦାଶଙ୍କ ନେତୃତ୍ବରେ ପ୍ରାୟ ୨ ପ୍ଲାଟୁନ୍ ଫୋର୍ସ ଓ ବରିଷ୍ଠ ପୁଲିସ ଅଧିକାରୀ ଏହି ଚଢ଼ଉରେ ସାମିଲ ହୋଇଛନ୍ତି।
ପ୍ରାୟ ୨୦ଟି ଘରେ ଚଢ଼ଉ କରାଯାଇଥିବା ବେଳେ ସେଠାରୁ ୧୫ ଜଣ ପୁରୁଷ ଓ ମହିଳା, ୬ ଜଣ ଛୋଟପିଲାଙ୍କୁ ସନ୍ଦେହରେ ଉଠାଇ ନେଇ ଯାଞ୍ଚ କରାଯାଉଛି।
ସେମାନଙ୍କୁ ବିରିଡ଼ି ବାଗଲପୁରଠାରେ ଖୋଲା ଯାଇଥିବା ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି।
ପୂର୍ବରୁ ବେହେରାମପୁର ବସ୍ତି ଓ ତରିକୁନ୍ଦ କଲେଜ ପଛ ପାଖରେ ଥିବା ବସ୍ତିରେ ବି ଯାଞ୍ଚ କରାଯାଇଥିଲା। ବେହେରାମପୁରରେ ଚଢ଼ଉ ବେଳେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ସିକନ୍ଦର ଆଲାମ୍ ଓରଫ୍ ସିକୋ ସେମାନଙ୍କୁ ଆଣି ଆଶ୍ରୟ ଦେଇଥିବା ଜଣାପଡ଼ିଥିଲା। ଯାଞ୍ଚ ପରେ ୨୦ ଜଣ ବାଂଲାଦେଶୀ ଚିହ୍ନଟ ହୋଇଥିଲେ। ସେମାନଙ୍କୁ ବାଂଲାଦେଶକୁ ପଠାଇ ଦିଆଯାଇଛି।