Bijapur Naxal Encounter: ବିଜାପୁର ଏନକାଉଣ୍ଟର: ଆଉ ୬ନକ୍ସଲଙ୍କ ମୃତଦେହ ଉଦ୍ଧାର; ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ
ରାୟପୁର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର-ଦାନ୍ତେୱାଡା ଜିଲ୍ଲାର ସୀମାନ୍ତରେ ହୋଇଥିବା ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ୧୮ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୁଧବାର ୧୨ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ଏବଂ ଆଜି ଆଉ ୬ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ଆଇଜି କହିଛନ୍ତି,”ମାଓବାଦୀ ଆକ୍ରମଣର କଡ଼ା ଜବାବ ଦେଇଥିଲେ ଆମ ଯବାନମାନେ। ଆମର ତିନି ଜଣ ଯବାନ ସହିଦ ହୋଇଛନ୍ତି । ସେମାନେ ସାହସର ସହିତ ଲଢ଼ିଥିଲେ । ତିନି ଜଣ ଯବାନଙ୍କୁ ଶେଷ ସଲାମ ଦିଆଯାଇଥିଲା। ସେମାନଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମଭୂମି ଗାଁକୁ ପଠାଯାଇଛି। ଏହି ଏନକାଉଣ୍ଟରରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ଉଭୟ ବିପଦମୁକ୍ତ ଏବଂ ରାୟପୁରରେ ଚିକିତ୍ସାଧୀନ ଅଛନ୍ତି। ଡାକ୍ତରମାନେ କହିଛନ୍ତି ଯେ ସେମାନଙ୍କ ଅବସ୍ଥା ସ୍ଥିର ଅଛି। ଆଖପାଖ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।
ବୁଧବାର ଦିନ, ସୁରକ୍ଷା ବାହିନୀ ଘଟଣାସ୍ଥଳରୁ ଏକ ହାଲୁକା ମେସିନ୍ ଗନ୍, ସିଙ୍ଗଲ୍ ଲୋଡିଂ ରାଇଫଲ୍ (SLR), INSAS ରାଇଫଲ୍, 303 ରାଇଫଲ୍ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରିଥିଲେ।
ଆଇଜି କହିଛନ୍ତି ଯେ ବୁଧବାର ନିହତ ନକ୍ସଲଙ୍କ ମଧ୍ୟରୁ ଜଣେ ମୋଡିୟମ୍ ଭେଲା ଭାବରେ ଚିହ୍ନଟ ହୋଇଛନ୍ତି। ଭେଲା ମାଓବାଦୀ ପିଏଲଜିଏ (ପିପୁଲ୍ସ ଲିବରେସନ ଗରିଲା ଆର୍ମି)ର କମ୍ପାନୀ ନମ୍ବର ୨ର କମାଣ୍ଡର ଭାବରେ ସକ୍ରିୟ ଥିଲା। ସେ ସୁରକ୍ଷା ବାହିନୀ ଉପରେ ଅନେକ ଆକ୍ରମଣରେ ଜଡିତ ଥିଲା। ସେ ୨୦୨୦ ମସିହାରେ ସୁକମାର ମିନାପାରେ ହୋଇଥିବା ଆକ୍ରମଣରେ ଜଡିତ ଥିଲା, ଯେଉଁଥିରେ ୧୭ ଜଣ ସୁରକ୍ଷା କର୍ମୀ ସହିଦ ହୋଇଥିଲେ । ସେ ୨୦୨୧ ମସିହାରେ ବିଜାପୁରର ଟେକଲଗୁଡେମରେ ହୋଇଥିବା ଆକ୍ରମଣରେ ମଧ୍ୟ ଜଡିତ ଥିଲା, ଯେଉଁଥିରେ ୨୨ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ।
ବସ୍ତର ଆଇଜି ସୁନ୍ଦରରାଜ ପି କହିଛନ୍ତି ଯେ ସୁରକ୍ଷା ବାହିନୀ ବସ୍ତର ଡିଭିଜନରେ ନିରନ୍ତର ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଡିସେମ୍ବର ୩ ତାରିଖରେ, ବିଜାପୁର ଦାନ୍ତେୱାଡା ସୀମାନ୍ତ କୋଟନାର ଅଞ୍ଚଳରେ ନକ୍ସଲମାନଙ୍କ ବିଷୟରେ ସୂଚନା ଆଧାରରେ, DRG, STF, କୋବ୍ରା ଏବଂ CRPFର ଏକ ମିଳିତ ଦଳ ପଠାଯାଇଥିଲା। ବୁଧବାର ସକାଳ ୯ଟାରୁ ସୁରକ୍ଷା ବାହିନୀ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ କ୍ରମାଗତ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ବୁଧବାର ୧୨ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଉ ଆଜି ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।