ଭୁବନେଶ୍ୱର: ଓଡ଼ିଶା ଡାକ୍ତରୀ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶକ (ଡିଏମଇଟି) ଶୁକ୍ରବାର ଦିନ ଅପରାହ୍ନ ୨ଟାରେ ଆରମ୍ଭ ହେବାକୁ ଥିବା ସହାୟକ ନର୍ସ ମିଡୱାଇଫେରୀ (ଏଏନ୍ଏମ୍) ପରୀକ୍ଷାକୁ ସ୍ଥଗିତ ରଖିଥିଲେ। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଯୋଗୁଁ ଏହି ନିଷ୍ପତି ନିଆଯାଇଥିଲା। ତେବେ ଏହି ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
ଅଧିକ ପଢନ୍ତୁ:- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, “ପରୀକ୍ଷା ବାରମ୍ବାର ବାତିଲ ହେବା ଲକ୍ଷ ଲକ୍ଷ ପିଲାଙ୍କ ସ୍ୱପ୍ନକୁ ଧୂଳିସାତ କରୁଛି। ଏଏନଏମ ପରୀକ୍ଷା ବାତିଲ କରି ରାଜ୍ୟ ବିଜେପି ସରକାର ପୁଣି ହଜାର ହଜାର ଆଶାୟୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦେଇଛନ୍ତି। ପିଲାଙ୍କ ସ୍ୱପ୍ନ କେତେ ଆଉ ଭାଙ୍ଗିବ, କେତେ ଆଉ ପିଲାଙ୍କ ଭବିଷ୍ୟତ ସହ ଖେଳାଯିବ? ପରୀକ୍ଷା ପରେ ପରୀକ୍ଷା ବାତିଲ ହେବା, ସ୍ଥଗିତ ହେବା ବିଜେପି ସରକାରର ଅପାରଗତାକୁ ଦର୍ଶାଉଛି।
୧୮ ମାସର ସରକାରରେ ପାଖାପାଖି ୧୮ଟି ନିଯୁକ୍ତି ପରୀକ୍ଷା ବାତିଲ ହେଲାଣି। ସରକାର କ’ଣ ଦର୍ଶାଇବାକୁ ଚାହୁଁଛନ୍ତି? ରାଜ୍ୟର ପିଲାମାନଙ୍କ ଆଶା, ସ୍ୱପ୍ନ ଏପରି ଧୂଳିସାତ ହେଉଥିବ?ସରକାର ସଜାଗ ହୁଅନ୍ତୁ, ସମସ୍ତ ପରୀକ୍ଷା ଯେପରି ନିୟମିତ ଏବଂ ସ୍ୱଚ୍ଛତାର ସହ ହେବ ତାହା ସୁନିଶ୍ଚିତ କରନ୍ତୁ ବୋଲି ସେ ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତକାଲି ବେକାରୀ ସମସ୍ୟା ଉପରେ ବିଧାନସଭା ଗୃହରେ ଆଲୋଚନା ଚାଲିଥିବା ସମୟରେ କଂଗ୍ରେସ ବିଧାୟକ ସିଏସ ରାଜେନ ଏକ୍କା ପ୍ରଶ୍ନପତ୍ର ଲିକ୍ ହେବା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ପରୀକ୍ଷାର ପ୍ରଶ୍ନପତ୍ର ପରୀକ୍ଷାର ତିନି ଘଣ୍ଟା ପୂର୍ବରୁ ଲିକ୍ ହୋଇଥିଲା। “ଆମ ନଜରକୁ ଆସିଛି ଯେ ଏଏନ୍ଏମ୍ ପରୀକ୍ଷାର ଲିଖିତ ପରୀକ୍ଷା ଅପରାହ୍ନ ୨ଟାରେ ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ସକାଳ ୧୧ଟାରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା”।