ଭୁବନେଶ୍ବର:ଓଡ଼ିଶା ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ କାର୍ଯ୍ୟରତ ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ, ଓଡ଼ିଶା (SMPB) ଦ୍ବାରା ୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା-୨୦୨୫ ୨୬, ଆସନ୍ତା ୧୦ରୁ ୧୬ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଇଡ଼କୋ ପ୍ରଦର୍ଶନୀ ପଡିଆ, ୟୁନିଟ-୩, ଭୁବନେଶ୍ବର ଠାରେ ଆୟୋଜିତ ହେଉଛି। ୨୦୦୮ ମସିହାରୁ ଆରମ୍ଭ ହୋଇଥିବା ଏହି ମେଳା ବନ ସୁରକ୍ଷା ସମିତି ସଦସ୍ୟ,ଚାଷୀ,ବୈଦ୍ୟ,ଔଷଧ ଉଦ୍ଭିଦ ସଂଗ୍ରାହକ,ବ୍ୟବସାୟୀ,ଗବେଷକ, ଛାତ୍ରଛାତ୍ରୀ,ବନ ଅଧୁକାରୀ,ଏନଜିଓ,ଏସ.ଏଚ.ଡି ଓ ଜନସାଧାରଣଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ ମଞ୍ଚ ଭାବରେ ପରିଚିତ।
ଚଳିତ ବର୍ଷ ମେଳାରେ ୧୩୦ଟି ଷ୍ଟଲ୍ ଖୋଲାଯିବ ଓ ଓଡ଼ିଶା ଓ ଅନ୍ୟ ରାଜ୍ୟରୁ ମୋଟ ୨୬୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେବେ । ଏଥି ସହିତ ରାଇରଙ୍ଗପୁର, କେନ୍ଦୁଝର ଓ ମାଲକାନଗିରି ରେ ଚଳିତ ବର୍ଷ କ୍ଷେତ୍ରୀୟ କଳିଙ୍ଗ ହର୍ବାଲ ମେଳା ମଧ୍ୟ ଆୟୋଜିତ ହେବ, ଯାହା ସ୍ଥାନୀୟ ଡିଏଫଓ ମାନଙ୍କ ଦ୍ବାରା ପରିଚାଳିତ ହେବ। ମେଳାର ଉଦ୍ଘାଟନ ୧୦ ଡିସେମ୍ବର ୨୦୨୫ ସନ୍ଧ୍ୟା ୬ ଟାରେ ଆୟୋଜିତ ହେବ। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମେଳାର ଉଦ୍ଘାଟନ କରିବେ ।
ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଔଷଧୀୟ ଉଦ୍ଭିଦ କ୍ଷେତ୍ରର ମୁଖ୍ୟ ହିତାଧିକାରୀମାନଙ୍କ ମଧ୍ୟରେ ସମ୍ପର୍କ, ବ୍ୟବସାୟ, ଶିକ୍ଷା, ଓ ସଚେତନତା ବୃଦ୍ଧି କରିବା; ଆୟୁର୍ବେଦ, ଯୋଗ, ପ୍ରାକୃତିକ ଚିକିତ୍ସା, ୟୁନାନୀ, ସିଦ୍ଧ ଓ ହୋମିଓପାଥୁର ପ୍ରଚାର କରିବା ଏବଂ ଦର୍ଶକମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଓ ଚିକିତ୍ସା ସୁବିଧା ପ୍ରଦାନ । ଗତ ବର୍ଷ ଡାବର, ଇମାମି, ଆର୍ଯା ବୈଦ୍ୟଶାଳା କୋଟ୍ଟାକାଲ, ବୈଦ୍ୟନାଥ, ମୁଲତାନି ଏବଂ ବେସିକ୍ ଆୟୁର୍ବେଦ ଭଳି ଜଣାଶୁଣା କମ୍ପାନୀମାନେ ଅଂଶଗ୍ରହଣ କରିଥିଲେ ଓ ମୋଟ ବ୍ୟବସାୟ ୧,୦୨,୮୯,୬୦୦ /- ହୋଇଥିଲା । ଚଳିତବର୍ଷ ବୃହତ୍ତର ଅଂଶଗ୍ରହଣ ସହିତ ବ୍ୟବସାୟ ୨ କୋଟି ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି।
ମେଳା ସମୟରେ ବିଭିନ୍ନ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବ ୧୧ ଡିସେମ୍ବର ପୂର୍ବାହ୍ନ ୧୧ ଟାରୁ ୨ଟା ପର୍ଯ୍ୟନ୍ତ ସରକାରୀ ହାଇସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଔଷଧୀୟ ଉଦ୍ଭିଦ କୁଇଜ୍ । ୧୨ ଡିସେମ୍ବର ମଧ୍ୟାହ୍ନ ୧୨ ଟାରୁ ୨ ଘଟିକା ରେ ନାରୀ ସମ୍ମିଳନୀ (ରୁଫଟପ୍ ପୋଷକ ବଗିଚା) । ୧୩ ଡିସେମ୍ବର ମଧ୍ୟାହ୍ନ ୧୨ ରୁ ୨ ଘଟିକା ସମୟରେ ଅଂଶଗ୍ରହଣକାରୀଙ୍କ ପାଇଁ ତର୍କ ପ୍ରତିଯୋଗିତା । ୧୪ ଡିସେମ୍ବର ପୂର୍ବାହ୍ନ ୧୦ ରୁ ୨ ଘଟିକା ମଧ୍ୟରେ ଔଷଧୀୟ ଉଦ୍ଭିଦ ଚାଷୀ ସମ୍ମିଳନୀ । ୧୫ ଡିସେମ୍ବର ପୂର୍ବାହ୍ନ ୧୧ ରୁ ୨ ଘଟିକା – ପାରମ୍ପରିକ ଚିକିତ୍ସକ କର୍ମଶାଳା ଆୟୋଜନର କାର୍ଯ୍ୟକ୍ରମ ରହିଛି ।
୧୦ ରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ପ୍ରତି ସନ୍ଧ୍ୟା ୭ ଘଟିକାରୁ ରାତି ୯ ଘଟିକା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥି ସହିତ ସରକାରୀ ଆୟୁର୍ବେଦିକ ଓ ହୋମିଓପାଥ୍ ଡାକ୍ତରମାନଙ୍କ ଦ୍ବାରା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ କୁଇଜ୍ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ସମସ୍ତଙ୍କୁ ଏହି ବୈଜ୍ଞାନିକ ଓ ସାଂସ୍କୃତିକ ମୂଲ୍ୟବୋଧକୁ ସମୃଦ୍ଧ କରିବାକୁ ଆୟୋଜିତ ଉତ୍ସବରେ ସକ୍ରିୟ ଭାବରେ ଯୋଗଦାନ କରିବା ପାଇଁ ଓଡ଼ିଶା ରାଜ୍ୟ ଔଷଧୀୟ ଉଦ୍ଭିଦ ବୋର୍ଡ଼ ପକ୍ଷରୁ ନିବେଦନ କରାଯାଇଛି ।