ଭୁବନେଶ୍ବର: ଜାଡ଼ରେ ଥରୁଛି ସମଗ୍ର ରାଜ୍ୟ । ରାତିର ତାପମାତ୍ର ଅହେତୁକ ହ୍ରାସ ପାଇଛି । ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୭ରୁ ୧୦ ଡିଗ୍ରୀ ମଧ୍ୟରେ ରହିଛି । ପାଞ୍ଚଟି ଜିଲ୍ଲାର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସାଧାରଣତଃ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଏପରିକି ଆଗାମୀ ୭ ଦିନ ଯାଏ ଏଥିରେ କୌଣସି ପରିବର୍ତ୍ତନ ହେବାର ନାହିଁ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ସେପଟେ ଘନ କୁହୁଡି କିଛି କିଛି ସ୍ଥାନରେ ଦୃଶ୍ୟମାନ ହେଉଥିବା ବେଳେ ଆଗାମୀ ଦୁଇଦିନ ଯାଏଁ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆଜି ଓ ଆସନ୍ତାକାଲି ପାଇଁ କୋରାପୁଟ କନ୍ଧମାଳ ଓ ସୁନ୍ଦରଗଡ ୩ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଗତ ୨୪ ଘଣ୍ଟାରେ ୫ଟି ସ୍ଥାନରେ ଘନ କୁହୁଡି ପରିଲିକ୍ଷିତ ହୋଇଥିବା ବେଳେ ରାଉଲକେଲାରେ ମାତ୍ରାଧିକ ଘନ କୁହୁଡି ଦୃଶ୍ୟମାନ ହୋଇଛି ।
୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିପାରେ। ମଙ୍ଗଳବାର ରେକର୍ଡ କରାଯାଇଥିବା ତାପମାତ୍ରା ଅନୁଯାୟୀ, ଦାରିଙ୍ଗବାଡ଼ିରେ ଦିନ ତାପମାତ୍ରା ସର୍ବାଧିକ ୨୪.୫ ଡିଗ୍ରୀ ସେଲସିୟସ୍ ଓ ରାତି ତାପମାତ୍ରା ୭.୦ ଡିଗ୍ରୀ ସେଲସିୟସ୍ ରହିଥିଲା। ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟରେ ୬.୫ ଡିଗ୍ରୀ ସେଲ୍ସିୟସ ରହିଥିଲା।