ନୂଆଦିଲ୍ଲୀ: ବାଂଲା ନେତାଙ୍କ ବିବାଦୀୟ ବୟାନ ପରେ ଭାରତରେ ଅବସ୍ଥିତ ବାଂଲା ହାଇ କମିଶନରଙ୍କୁ ସମନ । ହାଇ କମିଶନର ମହମ୍ମଦ ରିଆଜ୍ ହାମିଦୁଲ୍ଲାଙ୍କୁ କୁଟନୈତିକ ସ୍ତରରେ ସମନ୍ କରାଯାଇଛି । ଗତ କିଛି ଦିନ ଧରି ବାଂଲାଦେଶ ରାଜଧାନୀରେ ଭାରତୀୟ ମିଶନ ବାହାରେ ଚାଲିଥିବା ବିରୋଧ ପ୍ରଦର୍ଶନ ପରିପ୍ରେକ୍ଷୀରେ ଏହି ପଦକ୍ଷେପ ନିଆଯାଇଛି। ଢାକାରେ ଭାରତୀୟ ଦୂତାବାସର ସୁରକ୍ଷା ନେଇ ସମନ ଜାରି କଲେ ଭାରତ ସରକାର। ଏଥିସହ ଭାରତ ଢାକାରେ ବାଂଲାଦେଶୀ ନାଗରିକଙ୍କ ପାଇଁ ଭିସା ସମ୍ପର୍କିତ ସେବା ସ୍ଥଗିତ ରଖିବାକୁ ମଧ୍ୟ ଘୋଷଣା କରିଛି।
ନ୍ୟାସନାଲ ସିଟିଜେନ୍ସ ପାର୍ଟି (ଏନ୍ସିପି) ନେତା ହସନାତ ଅବଦୁଲ୍ଲାଙ୍କ ଭାରତ ବିରୋଧୀ ବୟାନବାଜି ପରେ ଭାରତ ଏହି ପଦକ୍ଷେପ ନେଇଛି। ଏକ ସାର୍ବଜନୀନ ଭାଷଣରେ, ଅବଦୁଲ୍ଲା ଧମକ ଦେଇଥିଲେ ଯେ ଯଦି ବାଂଲାଦେଶ ଅସ୍ଥିର ହୁଏ, ତେବେ ସେମାନେ ଭାରତର ସାତଟି ପୂର୍ବ ରାଜ୍ୟ (ସେଭେନ୍ ସିଷ୍ଟର୍ସ)କୁ ଅଲଗା କରିଦିଆଯିବ ।
ବୈଦେଶିକ ମନ୍ତ୍ରଣାଳୟ ବିବୃତ୍ତିରେ କହିଛି, “ଭାରତରେ ବାଂଲାଦେଶର ଉଚ୍ଚାୟୁକ୍ତ ରିୟାଜ ହମିଦୁଲ୍ଲାଙ୍କୁ ଆଜି ବୈଦେଶିକ ମନ୍ତ୍ରଣାଳୟକୁ ଡକାଇ ବାଂଲାଦେଶର ବିଗିଡ଼ିଯାଉଥିବା ସୁରକ୍ଷା ପରିସ୍ଥିତି ଉପରେ ଭାରତର ଗଭୀର ଚିନ୍ତା ବ୍ୟକ୍ତ କରାଯାଇଥିଲା।ଢାକାରେ ଭାରତୀୟ ମିଶନର ସୁରକ୍ଷା ପରିସ୍ଥିତିକୁ ବିପର୍ଯ୍ୟସ୍ତ କରିବାକୁ ଧମକ ଦେଉଥିବା କିଛି ଚରମପନ୍ଥୀ ତତ୍ତ୍ୱଙ୍କ କାର୍ଯ୍ୟକଳାପ ପ୍ରତି ସେମାନଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା।”
ବାଂଲାଦେଶରେ ନିର୍ବାଚନ ସମ୍ପର୍କରେ ଭାରତ ବିରୁଦ୍ଧରେ ଲଗାଯାଇଥିବା ଅଭିଯୋଗକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛି ଭାରତ ଏବଂ ସାମ୍ପ୍ରତିକ ବୟାନ ପ୍ରତି ନିଜର ଅସମ୍ମତି ପ୍ରକାଶ କରିଛି।
ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ବାଂଲାଦେଶରେ ଘଟିଥିବା କିଛି ସାମ୍ପ୍ରତିକ ଘଟଣା ସମ୍ପର୍କରେ ଚରମପନ୍ଥୀ ତତ୍ତ୍ୱମାନଙ୍କ ଦ୍ୱାରା ସୃଷ୍ଟି କରାଯାଉଥିବା ମିଥ୍ୟା କଥାକୁ ଭାରତ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରେ। ଏହା ଦୁର୍ଭାଗ୍ୟଜନକ ଯେ ମଧ୍ୟବର୍ତ୍ତୀକାଳୀନ ସରକାର ଏହି ଘଟଣାଗୁଡ଼ିକ ସମ୍ପର୍କରେ ନା କୌଣସି ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛନ୍ତି ନା ଭାରତ ସହିତ କୌଣସି ଅର୍ଥପୂର୍ଣ୍ଣ ପ୍ରମାଣ ଦେଇଛନ୍ତି ।
ଦିଲ୍ଲୀରେ ଥିବା ବାଂଲାଦେଶ ହାଇକମିଶନ ମଙ୍ଗଳବାର ବିଜୟ ଦିବସ ପାଳନ କରିଛି। ଏହି ଅବସରରେ ହାଇକମିଶନର ଏମ୍. ରିଆଜ ହମିଦୁଲ୍ଲା ଭାରତ-ବାଂଲାଦେଶ ସମ୍ପର୍କ ପାରସ୍ପରିକ ସ୍ୱାର୍ଥ ଉପରେ ଆଧାରିତ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ପରସ୍ପର ନିର୍ଭରଶୀଳତା ରହିଛି ଏବଂ ଏହି ସମ୍ପର୍କ ଏହି ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଏବଂ ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।