ଭୁବନେଶ୍ବର: ମୟୂରଭଞ୍ଜରେ ରେଳ ଭିତ୍ତିଭୂମି ବିକାଶ ସମ୍ପର୍କରେ ଲୋକସଭାରେ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼-କେନ୍ଦୁଝର, ଗୋରୁମହିଷାଣୀ-ବାଙ୍ଗିରିପୋଷୀ ଏବଂ ବୁଢ଼ାମରା-ଚାକୁଲିଆ ରେଳ ଲାଇନ ନିର୍ମାଣ ପାଇଁ ବର୍ତ୍ତମାନ ଜମି ଅଧିଗ୍ରହଣ ଓ ଜଙ୍ଗଲ ଅନୁମତି ପ୍ରକ୍ରିୟା ଜାରି ରହିଥିବା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।
ଆଜି ଲୋକସଭାରେ ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ରେଳ ମନ୍ତ୍ରୀ କହିଛନ୍ତି, ମୟୂରଭଞ୍ଜରେ ବିଶ୍ୱର ଅନ୍ୟତମ ପ୍ରାକୃତିକ ଐତିହ୍ୟ ଶିମିଳିପାଳ ଅଭୟାରଣ୍ୟ ରହିଛି ଏବଂ ଓଡ଼ିଶାର ଏହି ସ୍ଥାନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ଏଠାରେ ରେଳ ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ବର୍ତ୍ତମାନ ଜିଲ୍ଲାରେ ୩ଟି ଷ୍ଟେସନର ଉନ୍ନତିକରଣ କରାଯାଉଛି ଏବଂ ଉପରୋକ୍ତ ୩ଟି ରେଳ ଲାଇନକୁ ମଞ୍ଜୁରି ମିଳିଛି । ଦୀର୍ଘ ୫୦ରୁ ୬୦ ବର୍ଷ ଧରି ଏହି ୩ଟି ରେଳ ଲାଇନ ପ୍ରକଳ୍ପ କାମ ବିଳମ୍ବିତ ହୋଇ ପଡ଼ି ରହିଥିଲା ଏବଂ ବହୁଦିନରୁ ଏଥିପାଇଁ ଦାବି ହୋଇ ଆସୁଥିଲା ।
ବର୍ତ୍ତମାନ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ବହୁତ ଭଲ ସହଯୋଗ ମିଳୁଛି । ଖୁବଶୀଘ୍ର ସମସ୍ତ ଜଙ୍ଗଲ ଅନୁମତି ଏବଂ ଜମି ଅଧିଗ୍ରହଣ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ମଞ୍ଜୁରି ମିଳିବା ପରେ ରେଳ ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ ହେବ ବୋଲି ରେଳ ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ପ୍ରାୟ ୭ କୋଟି ଟଙ୍କାର ନିବେଶ ସହିତ ବାରିପଦା ଷ୍ଟେସନର ପୁନର୍ବିକାଶ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ୧୨ କୋଟି ଟଙ୍କା ବ୍ୟୟରେ ବାଦାମପାହାଡ଼ ଷ୍ଟେସନ ପୁନିର୍ବିକାଶ କାମ ଜାରି ରହିଛି । ଷ୍ଟେସନର ଅଟ୍ଟାଳିକା, ପ୍ଲାଟଫର୍ମ, ଚଳପ୍ରଚଳ ସ୍ଥାନ, ସମ୍ପ୍ରସାରିତ କ୍ଷେତ୍ରର ବିକାଶ କାମ କରାଯାଉଛି । ଏହାସହିତ ୭ କୋଟି ଟଙ୍କା ବିନିଯୋଗ କରି ରାଇରଙ୍ଗପୁର ଷ୍ଟେସନର ଅଟ୍ଟାଳିକା, ପ୍ଲାଟଫର୍ମ, ସଂଯୋଗ ରାସ୍ତା, ଆଲୋକିକରଣ କାମ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଶ୍ୱର ସବୁଠୁ ବଡ଼ ରେଳଷ୍ଟେସନ ପୁନର୍ବିକାଶ କାର୍ଯ୍ୟକ୍ରମ ଅମୃତ ଭାରତ ଯୋଜନା ଅଧୀନରେ ଓଡ଼ିଶାର ୫୯ଟି ଷ୍ଟେସନର ପୁନର୍ବିକାଶ କାମ ଚାଲିଥିବା କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି ।
ସେହିପରି, ବରଗଡ଼ ରୋଡ୍-ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ ଜାରି ରହିଥିବା ରେଳ ମନ୍ତ୍ରୀ କହିଛନ୍ତି । ବରଗଡ଼ ରୋଡ୍-ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନକୁ ‘ସ୍ୱତନ୍ତ୍ର ରେଳ ପ୍ରକଳ୍ପ’ ଭାବେ ବିଜ୍ଞପିତ କରାଯାଇଛି ଏବଂ ଏହି ପ୍ରକଳ୍ପ ଲାଗି ଦ୍ରୁତ ଗତିରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଲୋକସଭାରେ ସୂଚନା ଦେଇଛନ୍ତି ।
ଶ୍ରୀ ବୈଷ୍ଣବ କହିଛନ୍ତି, ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି ବରଗଡ଼ ଏବଂ ନୂଆପଡ଼ାରେ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ (ସିଏଏଲଏ)ଙ୍କୁ ନିଯୁକ୍ତ କରାଯାଇଛି । ୭୩ଟି ଗ୍ରାମରେ ଜମି ଅଧିଗ୍ରହଣ ଲାଗି ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୫-୨୬ଆର୍ଥିକ ବର୍ଷରେ ଏଥିପାଇଁ ୪୩ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ।
ସେ ଆହୁରି କହିଛନ୍ତି, ୧୩୮ କିଲୋମିଟର ଲମ୍ବ ବରଗଡ଼ ରୋଡ୍ -ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନ ନିର୍ମାଣ ଲାଗି ୨,୬୨୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। କୌଣସି ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଲାଗି ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି, ବିଭିନ୍ନ ଆନୁସଙ୍ଗିକ ଭିତ୍ତିଭୂମିକୁ ସ୍ଥାନାନ୍ତର, ବୈଧାନିକ ମଞ୍ଜୁରି, ଭୌଗଳିକ ସ୍ଥିତି, ଆଇନଶୃଙ୍ଖଳା ପରିସ୍ଥିତି ଆଦି ଉପରେ ନିର୍ଭର କରିବାକୁ ପଡ଼ିଥାଏ । ତେବେ ରେଳ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ଲାଗି ଏବଂ ଦ୍ରୁତ ଅନୁମୋଦନ ହାସଲ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ।
ଏଥିପାଇଁ ଯଥେଷ୍ଟ ପାଣ୍ଠି ବ୍ୟବସ୍ଥା କରାଯାଇଛି । କ୍ଷେତ୍ର ସ୍ତରରେ କ୍ଷମତା ହସ୍ତାନ୍ତର ସହିତ ବିଭିନ୍ନ ସ୍ତରରେ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରାଯାଉଛି । ରାଜ୍ୟ ସରକାର ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହିତ ନିୟମିତ ଯୋଗାଯୋଗ ରକ୍ଷା କରାଯାଇ ଜମି ଅଧିଗ୍ରହଣ, ଜଙ୍ଗଲ ଓ ବନ୍ୟପ୍ରାଣୀ ମଞ୍ଜୁରି ଏବଂ ପ୍ରକଳ୍ପ ସହ ଜଡ଼ିତ ଅନ୍ୟାନ୍ୟ ଅନୁମୋଦନ ଲାଗି ପ୍ରୟାସ କରାଯାଉଛି। ଫଳରେ ଗତ ଏକ ଦଶନ୍ଧି ମଧ୍ୟରେ ରେଳ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦ୍ରୁତ ଗତିରେ ଜାରି ରହିଛି ।