ଓଇଆରସି ଦ୍ୱାରା ସିକ୍ୟୁରିଟି ଜମା ରାଶି ବାଧ୍ୟତାମୂଳକ ହୋଇଛି: ଟିପି ଓଡ଼ିଶା ଡିସକମ
୨୦୨୪-୨୫ରେ ସିକ୍ୟୁରିଟି ରାଶି ଉପରେ ୬.୫୦% ସୁଧ ହାରରେ ୨୧୭.୨୯ କୋଟି ଟଙ୍କାର ସୁଧ ଉପଭୋକ୍ତାଙ୍କ ବିଲ୍ରେ ଜମା କରାଯାଇଛି
ଭୁବନେଶ୍ୱର: ବିଦ୍ୟୁତ ବିଲ୍ରେ ଅତିରିକ୍ତ ସିକ୍ୟୁରିଟି ଜମା ରାଶି (ଏଏସଡି) ଆଦାୟ ଏକ ବିଧିବଦ୍ଧ ଆବଶ୍ୟକତା ଯାହା ବିଦ୍ୟୁତ ଆଇନ, ୨୦୦୩ ଅଧୀନରେ ବାଧ୍ୟତାମୂଳକ ଏବଂ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ନିୟମାବଳୀ ଅନୁସରଣ କରୁଛି ବୋଲି କହିଛନ୍ତି ଟିପି ଓଡ଼ିଶା ବିଦ୍ୟୁତ ବିତରଣକାରୀ କମ୍ପାନୀଗୁଡ଼ିକ ।
କୌଣସି ଡିସକମ୍ ପାଇଁ ସିକ୍ୟୁରିଟି ରାଶି (ଏସଡି) ଆଡଜଷ୍ଟମେଂଟ ଏବଂ ଅତିରିକ୍ତ ସିକ୍ୟୁରିଟି ଜମାରାଶି (ଏଏସଡି) ସର୍ମ୍ପୂ ରୂପେ ଉପଭୋକ୍ତାଙ୍କ ବିଦ୍ୟୁତ ବ୍ୟବହାର ରୂପରେଖ ଓ ରାଜ୍ୟରେ ଲାଗୁ ଶୁଳ୍କ ସହ ଯୋଡ଼ି ହୋଇରହିଛି ।
ପୂର୍ବ ଆର୍ଥିକ ବର୍ଷରେ ଯେଉଁ ଉପଭୋକ୍ତାଙ୍କମାନଙ୍କ ବିଦ୍ୟୁତ ବ୍ୟବହାର ହ୍ରାସ ପାଇଛି ସେମାନଙ୍କ ବିଦ୍ୟୁତ ବିଲ୍ରେ ସିକ୍ୟୁରିଟି ଜମା ରାଶି ଆଡଜଷ୍ଟମେଣ୍ଟ ପାଇଁ ସେମାନେ ଯୋଗ୍ୟ ବିବେଚିତ ହେବେ। ସେହିପରି ଯେଉଁ ଉପଭୋକ୍ତାମାନଙ୍କ ବିଦ୍ୟୁତ ବ୍ୟବହାର ବଢ଼ିଥିବ ସେମାନଙ୍କୁ ଅତିରିକ୍ତ ସିକ୍ୟୁରିଟି ଜମା ରାଶି ଜମା କରିବାକୁ ପଡ଼ିବ ଯାହା ନିଶ୍ଚିତ କରିବ ଯେ ନିୟାମକ ବ୍ୟବସ୍ଥା ଅନୁସାରେ ସିକ୍ୟୁରିଟି ଜମା ରାଶି ଯଥେଷ୍ଟ ପରିମାଣର ରହିଛି ।
ଉପଭୋକ୍ତାମାନେ ପ୍ରତିବର୍ଷ ସେମାନଙ୍କ ସିକ୍ୟୁରିଟି ଜମା ଉପରେ ସୁଧ ହାସଲ କରିବେ ଏବଂ ନିୟାମକ ବ୍ୟବସ୍ଥା ଅନୁସାରେ ସେମାନଙ୍କ ବିଦ୍ୟୁତ ବିଲ୍ରେ ବାର୍ଷିକ ଭିତ୍ତିରେ ସୁଧ ରାଶି ଜମା କରାଯାଉଛି। ସିକ୍ୟୁରିଟି ଜମା ରାଶି ଓ ଅତିରିକ୍ତ ସିକ୍ୟୁରିଟି ଜମା ରାଶି ଆକାରରେ ସଂଗ୍ରହ କରାଯାଉଥିବା ଅର୍ଥରାଶିକୁ ସୁରକ୍ଷିତ ଭାବେ ସିଡ୍ୟୁଲ୍ଡ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ (ଏଫ୍ଡି) ଭାବେ ରଖାଯାଉଛି ଯାହା ଉପଭୋକ୍ତାମାନଙ୍କ ପାଣ୍ଠିର ସମୂର୍ଣ୍ଣ ସୁରକ୍ଷାକୁ ସୁନିଶ୍ଚିତ କରୁଛି । ସେହି ଜମାରାଶିକୁ ଡିସକମ ଗୁଡ଼ିକ ସେମାନଙ୍କ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରୁନାହାନ୍ତି।