ଢାକା: ବାଂଲାଦେଶ ପୁଣି ହିଂସା। ଯୁବ ବାଂଲାଦେଶୀ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ, ଅନେକ ସହରରେ ହିଂସା ଓ ଉତ୍ତେଜନା ଦେଖାଦେଇଛି। ପ୍ରମୁଖ ଖବରକାଗଜ କାର୍ଯ୍ୟାଳୟ ପୋଡ଼ି ଦିଆଯାଇଛି ଏବଂ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ କରାଯାଇଛି। ବାଂଲାଦେଶରେ ଏହି ହିଂସା ଜାତୀୟ ନିର୍ବାଚନ ପୂର୍ବରୁ ଆହୁରି ଅଶାନ୍ତିର ଆଶଙ୍କା ସୃଷ୍ଟି କରିଛି। ଇନକିଲାବ ମଞ୍ଚର ମୁଖପାତ୍ର ଏବଂ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହାଦିଙ୍କୁ ଗତ ଶୁକ୍ରବାର ଢାକାରେ ନିର୍ବାଚନ ପ୍ରଚାର ଆରମ୍ଭ କରିବା ସମୟରେ ମୁଖାପିନ୍ଧା ଆକ୍ରମଣକାରୀମାନେ ମୁଣ୍ଡରେ ଗୁଳି ମାରିଥିଲେ। ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ସିଙ୍ଗାପୁର ନିଆଯାଇଥିଲା, ଯେଉଁଠାରେ ସେ ଛଅ ଦିନ ଲାଇଫ୍ ସପୋର୍ଟରେ ରହିବା ପରେ ମୃତ୍ୟୁବରଣ କରିଥିଲେ।
ସୂଚନା ଅନୁସାରେ ବାଂଲାଦେଶରେ ଗତବର୍ଷ ଜୁଲାଇ ବିଦ୍ରୋହର ଜଣେ ପ୍ରମୁଖ ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କର ଗୁରୁବାର ରାତିରେ ସିଙ୍ଗାପୁରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଗତ ସପ୍ତାହରେ ଆକ୍ରମଣକାରୀମାନେ ହାଦିଙ୍କ ମୁଣ୍ଡରେ ଗୁଳି ଚଳାଇଥିଲେ, ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଜାତି ଉଦ୍ଦେଶ୍ୟରେ ସମ୍ବୋଧିତ କରି ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ କହିଛନ୍ତି, ଆଜି ମୁଁ ଆପଣଙ୍କ ପାଇଁ ଏକ ଦୁଃଖଦ ଖବର ଆଣିଛି। ଜୁଲାଇ ବିଦ୍ରୋହର ଜଣେ ନିର୍ଭୀକ ଆଗ ଧାଡ଼ିର ଯୋଦ୍ଧା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦି ଆଉ ଆମ ମଧ୍ୟରେ ନାହାନ୍ତି। ଏହି ଘଟଣା ପରେ ବାଂଲାଦେଶରେ ହିଂସା ଆରମ୍ଭ ହୋଇଛି। ଉତ୍ତେଜନା ବଢିଯାଇଛି। ଅଶାନ୍ତ ହୋଇପଡିଛି ବାଂଲାଦେଶ।
ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓଗୁଡ଼ିକରେ ଦେଶର ସର୍ବବୃହତ ଖବରକାଗଜ, ପ୍ରଥମ ଆଲୋ ଏବଂ ଡେଲି ଷ୍ଟାରର କାର୍ଯ୍ୟାଳୟରେ ଏକ ଭିଡ଼ ଯାଇ ଭଙ୍ଗାରୁଜା ଏବଂ ନିଆଁ ଲଗାଇ ଦେଉଥିବା ଦେଖାଯାଇଥିଲା। ବିଡି ନ୍ୟୁଜ୍ ଅନୁଯାୟୀ, ଢାକାର କୱାରାନ ବଜାରରେ ଥିବା ଡେଲି ଷ୍ଟାର କାର୍ଯ୍ୟାଳୟ ଉପରେ ଭିଡ଼ ଆକ୍ରମଣ କରିବାର ଚାରି ଘଣ୍ଟାରୁ ଅଧିକ ସମୟ ପରେ, ଅତି କମରେ ୨୫ ଜଣ ସାମ୍ବାଦିକଙ୍କୁ ଘେରାବନ୍ଦୀ କାର୍ଯ୍ୟାଳୟରୁ ଉଦ୍ଧାର କରାଯାଇଥିଲା। ରାତ୍ରି ପ୍ରାୟ ୧୨ଟା ସମୟରେ ଆକ୍ରମଣ କରିବା ପାଇଁ କ୍ରୋଧିତ ଜନତା ଏଠାରେ ପହଞ୍ଚିଥିଲେ।