ଖୋର୍ଦ୍ଧା: ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ଅଭିଯୋଗରେ ୧୪୯ ଛାତ୍ରଛାତ୍ରୀ ଓ ୭ଟି ଶିକ୍ଷାନୁଷ୍ଠାନ ବିରୋଧରେ ମାମଲା ହୋଇଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ । ଏହି ଛାତ୍ରଛାତ୍ରୀ ମାନେ ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଥିବା ଅଭିଯୋଗ ରହିଛି ।
ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ୧୪୯ ଛାତ୍ରୀଛତ୍ରଙ୍କ ବିରୋଧରେ ଜିଲ୍ଲା ମଙ୍ଗଳ ଅଧିକାରୀ ଗତ ନଭେମ୍ବର ୧୩ରେ ଆଦର୍ଶ ଥାନାରେ ଲିଖତ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏକ ମାମଲା (ନଂ.୪୮୭/୨୫) ରୁଜୁ କରିଛି ।
ମହାଲେଖାପାଳ (କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ) ଓଡ଼ିଶାଙ୍କ ଦ୍ବାରା ଖୋର୍ଦ୍ଧାଜିଲାରେ ମାଟ୍ରିକ ପରବର୍ତ୍ତୀ ଯୋଜନାର କାର୍ଯ୍ୟାନୟନ ୨୦୧୭ରୁ ୨୦୨୦ ଅବଧି ସମୀକ୍ଷା କରାଯାଇଥିଲା । ଏହି ସମୀକ୍ଷା ରିପୋର୍ଟରେ ପ୍ରକାଶ ପାଇଛି ଯେ ଏହି ଅବଧି ମଧ୍ୟରେ ମୋଟ ୧୪୯ ଆବେଦନକାରୀ ଛାତ୍ରୀଛାତ୍ର ମିଥ୍ୟା ଆୟ ପ୍ରମାଣପତ୍ର ଏବଂ ଜାତି ପ୍ରମାଣପତ୍ର ଦାଖଲ କରି ମାଟ୍ରିକ ପରବର୍ତ୍ତୀ ମେଧାବୃତ୍ତି ଯୋଜନା ମାଧ୍ୟମରେ ଛାତ୍ରବୃତ୍ତି ହାସଲ କରିବାରେ ସକ୍ଷମ ହୋଇଥିଲେ ।