ଗଜପତି: ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଜଣ ଆନ୍ତରାଜ୍ୟ ମାଫିଆକୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୨୬ କିଲୋ ଗଞ୍ଜେଇ ଜବତ କରାଯାଇଛି । ଗଜପତିଜିଲ୍ଲା ଅଡବା ଥାନା ନଳାଘାଟ ଗାଁ ନିକଟରେ ଏକ କାରରେ ଏହି ଚୋରାଚାଲାଣ ହେଉଥିବାବେଳେ, ୨ ଜଣ ଆନ୍ତରାଜ୍ୟ ମାଫିଆକୁ ଧରିବାରେ ସଫଳ ହୋଇଛି ଗଜପତି ଜିଲ୍ଲା ଅଧୀନ ଅଡବା ଥାନା ପୋଲିସ ।
ଏନେଇ ଅଡବା ଥାନାରେ କେସ ନମ୍ବର ୧୯୪/୨୫ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ବେଳେ ଉକ୍ତ ଗଞ୍ଜେଇ ନଳାଘାଟ ଅଞ୍ଚଳରୁ ମଧ୍ୟପ୍ରଦେଶକୁ ଚାଲାଣ ହେଉଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ଅନ୍ୟପଟେ, ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏବେ ପତ୍ର ବଦଳରେ ଗଞ୍ଜେଇ ତେଲ ବିକ୍ରି କରିବା ଆରମ୍ଭ କରିଛନ୍ତି ମାଫିଆ ମାନେ । ପ୍ରଥମଥର ଏଭଳି ତରଳ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ମାଲକାନଗିରି ପୋଲିସ । ପୋଲିସ ଏବଂ ଅବକାରୀ ବିଭାଗକୁ ଚକମା ଦେବାକୁ ଗଞ୍ଜେଇ ପତ୍ରକୁ ଆଧୁନିକ ଜ୍ଞାନକୌଶଳର ବିନିଯୋଗ କରି ତେଲରେ ରୂପାନ୍ତର କରିବା ଆରମ୍ଭ କରିଛନ୍ତି ମାଫିଆ । ଚିତ୍ରକୋଣ୍ଡା ଅଞ୍ଚଳରୁ ରାଜ୍ୟ ବାହାରକୁ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ, ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ଉ କରି ଏହାକୁ ଧରିବାରେ ସଫଳ ହୋଇଥିଲା ।
ଘଟଣାସ୍ଥଳରୁ ପୋଲିସ ୮ଟି ବାଇକ୍ ଜବତ କରି ଯାଞ୍ଚ କରିଥିଲା । ଛୋଟ ଛୋଟ ପଲିଥିନ୍ରେ ପ୍ୟାକ୍ ହୋଇଥିବା ତରଳ ପଦାର୍ଥକୁ ଯାଞ୍ଚ କରିବାରୁ ତାହା ଗଞ୍ଜେଇରୁ ପ୍ରସ୍ତୁତ ହୋଇଥିବା ତେଲ ବୋଲି ପୋଲିସ ସ୍ପଷ୍ଟ ହୋଇଥିଲା । ଜବତ ହୋଇଥିବା ୬୦କେଜି ଗଞ୍ଜେଇ ତେଲର ମୂଲ୍ୟ ୮କୋଟି ଟଙ୍କା ହେବ । ପୋଲିସକୁ ଦେଖି ଘଟଣାସ୍ଥଳରୁ ୮ଜଣ ସନ୍ଦିଗ୍ଧ ଚମ୍ପଟ ମାରିଥିଲେ ।