Indian students in Bangladesh: ବାଂଲାରେ ପଢୁଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମୋଦୀଙ୍କୁ ଚିଠି
ନୂଆଦିଲ୍ଲୀ: ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, କିଛି ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀ ଏବେ ବି ସେଠାରେ ଫସି ରହିଛନ୍ତି । ତେବେ ଏହି ପରିସ୍ଥିତିରେ ଅଲ୍ ଇଣ୍ଡିଆ ମେଡିକାଲ୍ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AIMSA) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ବାଂଲାଦେଶରେ ଫସି ରହିଥିବା ଭାରତୀୟ ଡାକ୍ତରୀ ଛାତ୍ରଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରିଛି ।
ଚିଠିରେ, ଆସୋସିଏସନ୍ କହିଛି ଯେ ବାଂଲାଦେଶରେ ଭାରତୀୟ ଡାକ୍ତରୀ ଛାତ୍ରମାନେ କଠିନ ପରିସ୍ଥିତିରେ ଫସି ରହିଛନ୍ତି ଏବଂ ସେମାନଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ଚିନ୍ତା ରହିଛି।
ଛାତ୍ରମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଏବଂ ଆବଶ୍ୟକ ହେଲେ ସେମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ସଂଗଠନ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖାଯାଇଥିବା ଚିଠିରେ, AIMSA ଏହା ମଧ୍ୟ କହିଛି ଯେ ଏହି ଛାତ୍ରଛାତ୍ରୀମାନଙ୍କ ପରିବାର ଭାରତରେ ଅତ୍ୟନ୍ତ ଚିନ୍ତିତ ଏବଂ ସରକାରଙ୍କଠାରୁ ତୁରନ୍ତ ସହାୟତା ଆଶା କରୁଛନ୍ତି।
ସୂଚନାଥାଉକି, ଛାତ୍ର ନେତା ସରିଫ ଉସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶ ପୁଣିଥରେ ହିଂସାରେ ଲିପ୍ତ ହୋଇଛି। ହାଦିଙ୍କ ହତ୍ୟା ପରେ, ସମଗ୍ର ବାଂଲାଦେଶରେ ହିଂସା ଦେଖାଦେଇଛି।
ଏହି ସମୟରେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କ ନିର୍ମମ ହତ୍ୟା କରାଯାଇଛି । ଫଳରେ ପୁଣି ଥରେ ବାଂଲାଦେଶରେ ରହୁଥିବା ସମସ୍ତ ସଂଖ୍ୟାଲଘୁଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି ।