Latest Odisha News

BREAKING NEWS

ଆଭାଷୀ ମାଧ୍ୟମରେ ୪୯୧ ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟିତ 

ତୃଣମୂଳସ୍ତରରେ ବିକାଶର କେନ୍ଦ୍ରବିନ୍ଦୁ ହେଉଛି ଅଙ୍ଗନବାଡ଼ି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ତୃଣମୂଳସ୍ତରର ବିକାଶର କେନ୍ଦ୍ରବିନ୍ଦୁ ହେଉଛି ଅଙ୍ଗନବାଡି। ଅଙ୍ଗନବାଡି ଭିତ୍ତିଭୂମି ବିକାଶ ଉପରେ ଫୋକସ ଦେଇ ଗ୍ରାମୀଣ ବିକାଶକୁ ସୁଦୃଢ କରିବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।

ମହିଳା ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପଞ୍ଚାୟତରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଉପସ୍ଥିତିରେ ରାଜ୍ୟର ୪୯୧ଟି ନବନିର୍ମିତ ଅଙ୍ଗନବାଡି କେନ୍ଦ୍ର ଉଦଘାଟନ ହୋଇଯାଇଛି। ଅଙ୍ଗନବାଡିକୁ ସଶକ୍ତ କରି ସେଥିରେ ସ୍ବଚ୍ଛତା, ଶୌଚାଳୟ, ପାନୀୟ ଜଳ ସୁବିଧା, ବିଦ୍ୟୁତ ସେବା, ପୁଷ୍ଟି ବଗିଚା ଆଦିକୁ ବିଶେଷ ଗୁରୁତ୍ଵ ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଅଙ୍ଗନବାଡି କେନ୍ଦ୍ରକୁ ବିକଶିତ ଗାଁ ବିକଶିତ ଓଡ଼ିଶାର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ବୋଲି ମତ ପ୍ରକାଶ କରିଛନ୍ତି। ମହିଳାମାନଙ୍କ ସ୍ୱାସ୍ଥ୍ୟ ଓ ଶିଶୁମାନଙ୍କ ପ୍ରାକ୍ ପ୍ରାଥମିକ ଶିକ୍ଷା ଓ ସ୍ଵାସ୍ଥ୍ୟ ବିକାଶ ଅଙ୍ଗନବାଡିର ଭିତ୍ତିଭୂମି ଉପରେ ନିର୍ଭର କରୁଛି। ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଆୟୁକ୍ତ ତଥା ଶାସନ ସଚିବ ଗିରିଶ ଏସ. ଏନ, ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶିକ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଓ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ। ଏହା ସହ ଆଭାଷୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୧୧ଟି, ବାଲେଶ୍ବର ଜିଲ୍ଲାରେ ୬୩ଟି, ବରଗଡ଼ରେ ୩୬ଟି, ଭଦ୍ରକରେ ୨୮ଟି, କଟକରେ ୨୪ଟି, ଗଜପତିରେ ୧୦ଟି, ଜଗତସିଂହପୁର ରେ ୩୪, ଯାଜପୁରରେ ୨୦ଟି, କେନ୍ଦ୍ରାପଡ଼ାରେ ୧୯ଟି, ଖୋର୍ଦ୍ଧାରେ ୨୩ଟି, ପୁରୀରେ ୨୪, ନୟାଗଡ ୧୪ଟି, କୋରାପୁଟ ୧୮ଟି, କେନ୍ଦ୍ରାପଡ଼ା ୧୯ଟି, କନ୍ଧମାଳରେ ୧୬ଟି, ଗଜପତିରେ ୧୦ଟି, ସୁନ୍ଦରଗଡରେ ୪ଟି, ସୁବର୍ଣ୍ଣପୁରରେ ୧୧ଟି, ସମ୍ବଲପୁରରେ ୯ଟି, ରାୟଗଡାରେ ୧ଟି, ନୂଆପଡ଼ାରେ ୨ଟି, ନବରଙ୍ଗପୁର ୩ଟି, ମାଲକାନଗିରିରେ ୧ଟି, କେନ୍ଦୁଝରରେ ୫ଟି, ଢେଙ୍କାନାଳରେ ୨ଟି, ବଲାଙ୍ଗୀରି ୭ଟି, ଅନୁଗୁଳରେ ୬ଟି ଅଙ୍ଗନବାଡିକୁ ଉଦଘାଟନ କରାଯାଇଛି।

ଏଯାବତ ଦୁଇଟି ପର୍ଯ୍ୟାୟରେ ୧୪୦୪ ଅଙ୍ଗନବାଡିକୁ ସଶକ୍ତ କରାଯାଇଛି। ସେପ୍ଟେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ୯୧୩ଟି ଅଙ୍ଗନବାଡି ଓ ଆଜି ଦ୍ଵିତୀୟ ପର୍ଯ୍ୟାୟରେ ୪୯୧ ଅଙ୍ଗନବାଡି ଉଦଘାଟନ କରାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

 

Leave A Reply

Your email address will not be published.