ଶ୍ରୀନଗର: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି ଯେ, ଲସ୍କର-ଏ-ତୈବା ଏବଂ ଏହାର ସହଯୋଗୀ ସଂଗଠନ, ଜେକେୟୁଏମ୍ ସହ ମିଶି ସାରା ଦେଶରେ ଓ୍ବାଟର ଟେରର ନେଟଓ୍ବାର୍କ ଗଠନ କରୁଛି ।
ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଅନେକ ପ୍ରମୁଖ ସହର ଏବଂ ପାକ୍ ଅଧିକୃତ ଜମ୍ମୁକାଶ୍ମୀରରେ ଜଳ-ଭିତ୍ତିକ ତାଲିମ ଶିବିରରେ ଜୋରଦାର କାର୍ଯ୍ୟ ଚାଲିଛି । ଏହି ନେଟୱାର୍କକୁ ଅନୁପ୍ରବେଶ ଏବଂ ସାମୁଦ୍ରିକ ଆତଙ୍କବାଦୀ ଆକ୍ରମଣ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଉଛି । ଗୁପ୍ତଚର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲସ୍କର ପାଖରେ ଏବେ ଏସିଆର ଅନ୍ୟ ଯେକୌଣସି ଆତଙ୍କବାଦୀ ସଂଗଠନ ଅପେକ୍ଷା ଅଧିକ ପ୍ରଶିକ୍ଷିତ ସ୍କୁବା ଡାଇଭର ଏବଂ ବୃତ୍ତିଗତ ସନ୍ତରଣକାରୀ ଅଛନ୍ତି ।
ଆତଙ୍କବାଦୀ ସଂଗଠନ ତାଲିମ ପାଇଁ ବଡ଼ ବଡ଼ ସୁଇମିଂ ପୁଲ, ନଦୀ, କେନାଲ, ହ୍ରଦ ଏବଂ ଉପକୂଳ ଅଞ୍ଚଳକୁ ବ୍ୟାପକ ଭାବରେ ବ୍ୟବହାର କରୁଛି । ସୁରକ୍ଷା ଏଜେନ୍ସିଗୁଡ଼ିକର ଦୃଷ୍ଟି ଏଡାଇବା ପାଇଁ ଉଦ୍ଧାର ଏବଂ ରିଲିଫ୍ ଅଭିଯାନର ଆଳରେ ଖୋଲାଖୋଲି ଭାବରେ ପହଁରିବା ଏବଂ ପାଣି ତଳେ ତାଲିମ ପରିଚାଳନା କରାଯାଉଛି। ଏହି ତାଲିମ ସ୍ଥଳଗୁଡ଼ିକରେ କୌଣସି ପ୍ରତିବନ୍ଧକ ବିନା ସ୍ପିଡ୍ ବୋଟ୍ ଏବଂ ଅତ୍ୟାଧୁନିକ ସ୍କୁବା ଉପକରଣ ବ୍ୟବହାର କରାଯାଉଥିବା ଜଣାପଡିଛି ।
ତେବେ ଏହି ଆତଙ୍କବାଦୀ ସଂଗଠନ ସମୁଦ୍ର ପଥ ଦେଇ ଅନୁପ୍ରବେଶ କରି ଭବିଷ୍ୟତରେ ବଡ଼ ଆକ୍ରମଣ କରିବା ପାଇଁ ଲକ୍ଷ୍ୟଛି । ଯାହା ଭାରତୀୟ ସୁରକ୍ଷା ସଂସ୍ଥାଗୁଡ଼ିକ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା କହିଛି ଗୁଇନ୍ଦା ସଂସ୍ଥା ।