ଭଦୋଦରା: ଭାରତୀୟ କ୍ରିକେଟ ଟିମର ମହାନ ଖେଳାଳି ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଆଉ ଏକ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ୨୫ ରନ ପୂରଣ କରିବା ମାତ୍ରେ ଦ୍ରୁତ ୨୮୦୦୦ ଆନ୍ତର୍ଜାତୀୟ ରନ ସଂଗ୍ରହ କରିବା ଉପଲବ୍ଧି ହାସଲ କରିଛନ୍ତି । ସେ ୬୨୪ ଇନିଂସରେ ଏହି କୀର୍ତିମାନ ସ୍ଥ୍ାପନ କରିଛନ୍ତି । ତାଙ୍କ ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ଶ୍ରୀଲଙ୍କାର ମହାନ ବ୍ୟାଟ୍ସମ୍ୟାନ କୁମାର ସଙ୍ଗକାରା ଆନ୍ତର୍ଜାତୀୟ କ୍ରିକେଟରେ ୨୮୦୦୦ ରନ ପୂରଣ କରିଥିଲେ । ସଚିନ ୬୪୪ ଇନିଂସରେ ୨୮୦୦୦ ରନ କରିଥିବା ବେଳେ ସଙ୍ଗକାରା ୬୬୬ ପାରୀରେ ଏହି ଲ୍ୟାଣ୍ଡମାର୍କ ଛୁଇଁଥିଲେ ।
ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହକରେ କୋହଲି ଏବେ ସଙ୍ଗକାରାଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସଚିନ ୩୪୩୫୭ ରନ ସହ ପୂର୍ବ ଭଳି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ସଙ୍ଗକାରା ୨୮୦୧୬ ରନ କରିଥିବା ବେଳେ କୋହଲି ତାଙ୍କୁ ଅତିକ୍ରମ କରିଛନ୍ତି । କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୯୩ ରନ କରି ଆଉଟ ହୋଇଛନ୍ତି । ସେ ୮୫ ତମ ଆନ୍ତର୍ଜାତୀୟ ଶତକ ହାସଲରେ ଅଳ୍ପକେ ରହି ଯାଇଥିଲେ ।