Latest Odisha News

ରୋଗୀ ମୃତ୍ୟୁ ପରେ ମେଡିକାଲରେ ହାଇଡ୍ରାମା

ପୁରୀ: ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ପରିବାରଲୋକଙ୍କ ମଧ୍ୟରେ ଉତ୍ତେଜନା । ପରିସ୍ଥିତି ଏପରି ହୋଇଥିଲା ଯେ ଦୀର୍ଘ ସମୟ ଯାଏଁ କେହି କିଛି କାମ କରିପାରିନଥିଲେ । ପୁରୀ ସଦର ଶାସନ ଦାମୋଦରପୁର ଗାଁର ଗଙ୍ଗାଧର ପରିଡାଙ୍କ ଝିଅ ରୋଜାଲିନ ପରିଡା ୧୦ ତାରିଖରେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ହେଲେ ପିଲା ଜନ୍ମ କରିବା ପରେ ଆଜି ତାଙ୍କର ମୃତ୍ୟୁ ହେବାରୁ ମେଡିକାଲରେ ଟେନସନ ଲାଗି ରହିଥିଲା । ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ମେଡିକାଲରେ ଉତ୍ତେଜନା ଲାଗି ରହିବାରୁ କୁମ୍ଭାରପଡା ଥାନା ପୋଲିସ ଓ ସିଡିଏମଓ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତ୍ୟୁର ସଠିକ କାରଣ ଜଣାନପଡିବା ଯାଏଁ ମୃତଦେହ କେହି ନେବେ ନାହିଁ ବୋଲି ପରିବାର ଲୋକେ ଜିଦ ଧରିଥିଲେ । ରୋଜାଲିନ ୧୦ ତାରିଖ ଦିନ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପେଟରେ ପାଣି ଜମିଥିବାରୁ ଅପରେସନ କରାଯାଇଥିଲା । କନ୍ୟା ସନ୍ତାନ ଜନ୍ମ ହେବା ପରେ ସେ ସୁସ୍ଥ ହୋଇ ବେଡକୁ ଆସିଥିଲେ । ସେ ବେଡରେ ବସିବା ବେଳେ ତଳେ ପଡିଯାଇଥିଲେ । ଡାକ୍ତର ଆସି ଦେଖିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ରୋଜାଲିନଙ୍କର ଏହାଥିଲା ପଞ୍ଚମ ସନ୍ତାନ । ଆଗରୁ ୩ଟି ପିଲା ନଷ୍ଟ ହୋଇଯାଇଥିଲା।

ତେବେ ଏଥର ସ୍ଥିତି ଗମ୍ଭୀର ଥିବାରୁ ଅପରେସନ ହୋଇଥିଲା । ଅପରେସନ ପରେ ଆଜି ତାଙ୍କର ହୃଦଘାତ ହେବାରୁ ମୃତ୍ୟୁ ହୋଇଛି ବୋଲି ସିଡିଏମଓ କହିଛନ୍ତି । ତେବେ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ମଧ୍ୟ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି । ସେପଟେ ରକ୍ତ ଦରକାର ଥିଲା ବୋଲି ଡାକ୍ତର କହିଥିଲେ, ପରିବାର ଲୋକେ ମଧ୍ୟ ରକ୍ତ ଦେଇଥିଲେ । ତଥାପି ରୋଗୀ କେମିତି ମୃତ୍ୟୁ ବରଣ କଲା ବୋଲି ପ୍ରଶ୍ନ କରିଛନ୍ତି। ଆଜି ଦିନ ତମାମ ରୋଜିଲାନଙ୍କ ମୃତ୍ୟୁକୁ ନେଇ ମେଡିକାଲରେ ଟେନସନ ଲାଗି ରହିଥିଲା।

Leave A Reply

Your email address will not be published.