ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଓପନର ଶିଖର ଧାୱନ ପ୍ରେମିକା ସୋଫି ସାଇନଙ୍କ ସହ ନିର୍ବନ୍ଧ ଆନାଉନ୍ସ କରିଛନ୍ତି। କ୍ରିକେଟର ସୋମବାର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ଏକ ଫଟୋ ସେୟାର କରିଥିଲେ।
ରିପୋର୍ଟ ଅନୁସାରେ ଏହି ଦମ୍ପତି ଫେବୃଆରୀ ତୃତୀୟ ସପ୍ତାହରେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ଯଦିଓ ଏନେଇ ଦୁହେଁ କିଛି ସ୍ପଷ୍ଟ କରିନାହାଁନ୍ତି। ଶିଖର ଏବଂ ସୋଫି ଗତ ବର୍ଷ ସେମାନଙ୍କର ସମ୍ପର୍କକୁ ସାର୍ବଜନୀନ କରିଥିଲେ ଏବଂ ଦୀର୍ଘ ସମୟ ଧରି ଡେଟିଂ ମଧ୍ୟ କରିଥିଲେ।
ଶିଖର ଧାୱନଙ୍କୁ ପ୍ରଥମ ଥର ପାଇଁ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ସୋଫି ସାଇନଙ୍କ ସହିତ ଦେଖାଯାଇଥିଲା। ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ସୋଫି ଏବଂ ଧାୱନ ସୋସିଆଲ ମିଡିଆରେ ପ୍ରାୟତଃ ଏକାଠି ନଜର ଆସିଥିଲେ। ତେବେ ଆଇରିଶ ଉତ୍ପାଦ ପରାମର୍ଶଦାତା ସୋଫି ଲିମେରିକ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ମାର୍କେଟିଂ ଏବଂ ପରିଚାଳନା ଡିଗ୍ରୀ ହାସଲ କରିଛନ୍ତି। ସେ ବର୍ତ୍ତମାନ ଆବୁଧାବିର ନର୍ଦର୍ଣ୍ଣ ଟ୍ରଷ୍ଟ କର୍ପୋରେସନର ଦ୍ୱିତୀୟ ଉପାଧ୍ୟକ୍ଷ।
ଶିଖର ଧାୱନ ପ୍ରାୟ ଅଢ଼େଇ ବର୍ଷ ପୂର୍ବେ ଆୟେଶା ମୁଖାର୍ଜୀଙ୍କୁ ଛାଡପତ୍ର ଦେଇଥିଲେ। ଧାୱନ ଅଭିଯୋଗ କରିଥିଲେ ଯେ ଆୟେଶା ତାଙ୍କୁ “ମାନସିକ ନିର୍ଯାତନା” ଦେଇଥିଲେ। ଧାୱନଙ୍କଠାରୁ ୧୦ ବର୍ଷ ବଡ଼ ଆୟେଶା ଜଣେ କିକ୍ ବକ୍ସର। ଯିଏକି ୨୦୧୨ ମସିହାରେ ଭାରତୀୟ କ୍ରିକେଟରଙ୍କୁ ବିବାହ କରିଥିଲେ। ୨୦୨୧ ମସିହାରେ ଆୟେଶା ସୋସିଆଲ ମିଡିଆରେ ଧାୱନଙ୍କଠାରୁ ଅଲଗା ହେବାର ଘୋଷଣା କରିଥିଲେ।