ନୂଆଦିଲ୍ଲୀ: ହେନଲି ପାସପୋର୍ଟ ଇଣ୍ଡେକ୍ସ ୨୦୨୬ ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ଭାରତୀୟ ପାସପୋର୍ଟର ରାଙ୍କିଂରେ ଉନ୍ନତି ଦେଖାଯାଇଛି। ତେବେ ଗତ ବର୍ଷ ଭାରତ ୮୫ ତମ ସ୍ଥାନରେ ଥିଲା କିନ୍ତୁ ଚଳିତ ବର୍ଷ ଏହା ପାଞ୍ଚଟି ସ୍ଥାନ ଉପରକୁ ଯାଇ ୮୦ ତମ ସ୍ଥାନରେ ପହଞ୍ଚିଛି। ଚଳିତ ବର୍ଷ ନାଇଜର ଏବଂ ଆଲଜେରିଆ ମଧ୍ୟ ୮୫ତମ ସ୍ଥାନରେ ଥିବା ସୂଚନା ମିଳିଛି।
ତେବେ ବର୍ତ୍ତମାନ ଭାରତୀୟ ପାସପୋର୍ଟଧାରୀମାନେ ଭିସା-ମୁକ୍ତ ପ୍ରବେଶ, ଭିସା ଅନ୍ ଆରାଇଭାଲ୍, କିମ୍ବା ଇଲେକ୍ଟ୍ରୋନିକ୍ ଟ୍ରାଭେଲ୍ ଅଥୋରାଇଜେସନ୍ (eTA) ସହିତ ୫୫ଟି ଦେଶକୁ ଯାତ୍ରା କରିପାରିବେ ଯାହାକି ଗତ ବର୍ଷ ୫୭ ଥିବା ଜଣାପଡିଛି।୨୦୦୬ରେ ଭାରତ ଏଥିରେ ୭୧ ତମ ସ୍ଥାନରେ ଥିଲା ଯାହାକି ପରେ କ୍ରମାଗତ ଭାବେ ହ୍ରାସ ପାଇଥିଲା।
ବର୍ତ୍ତମାନ ସିଙ୍ଗାପୁରର ପାସପୋର୍ଟ ସବୁଠାରୁ ପ୍ରଭାବଶାଳୀ ଅଟେ। ଯାହାକି ୧୯୨ଟି ଦେଶକୁ ଭିସା-ମୁକ୍ତ ପ୍ରବେଶ ପ୍ରଦାନ କରେ। ଏହାପରେ ଜାପାନ ଏବଂ ଦକ୍ଷିଣ କୋରିଆ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେମାନେ ୧୮୮ଟି ଦେଶକୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ତେବେ ଡେନମାର୍କ, ସ୍ୱିଜରଲ୍ୟାଣ୍ଡ, ସ୍ୱିଡେନ, ସ୍ପେନ୍ ଏବଂ ଲକ୍ସେମବର୍ଗ ଭଳି ଦେଶ ୧୮୬ଟି ଦେଶକୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରି ତୃତୀୟ ସ୍ଥାନରେ ଥିବା ଜଣାପଡିଛି।
ଏହି ଦୌଡ଼ରେ ୟୁଏଇ ଆଶ୍ଚର୍ଯ୍ୟଜନକ ଭାବେ ଉନ୍ନତି ପ୍ରଦର୍ଶନ କରି ୫ମ ସ୍ଥାନରେ ପହଞ୍ଚିଛି। ୨୦୦୬ ପରଠାରୁ ୫୭ଟି ସ୍ଥାନ ଉପରକୁ ଉଠି ବର୍ତ୍ତମାନ ୧୪୯ଟି ଦେଶକୁ ପ୍ରବେଶ ପାଇଁ ଅନୁମତି ଦେଇପାରିଛି। ତେବେ ୧୭୯ଟି ଦେଶକୁ ଭିସା-ମୁକ୍ତ ପ୍ରବେଶ ପ୍ରଦାନ କରି ଆମେରିକୀୟ ପାସପୋର୍ଟ ଏଥିରେ ୧୦ମ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ୯୮ ତମ ସ୍ଥାନରେ ଓ ବାଂଲାଦେଶ ୯୫ତମ ସ୍ଥାନରେ ରହିଛନ୍ତି। ତେବେ ଏହି ଲିଷ୍ଟରେ ସବୁଠାରୁ ଦୁର୍ବଳ ପାସପୋର୍ଟ ଭାବରେ ଆଫଗାନିସ୍ତାନ ରହିଛି। ଯାହାକି ୧୦୧ତମ ସ୍ଥାନରେ ରହିଥିବା ଜଣାପଡିଛି। ଅର୍ଥାତ୍ ଆଫଗାନମାନେ କେବଳ ୨୪ଟି ଦେଶକୁ ଯାତ୍ରା କରିପାରିବେ।
ଉଲ୍ଲେଖଯୋଗ୍ୟ, ହେନଲି ପାସପୋର୍ଟ ସୂଚକାଙ୍କ ହେଉଛି ବିଶ୍ୱର ସବୁଠାରୁ ବିଶ୍ୱସନୀୟ ପାସପୋର୍ଟ ରାଙ୍କିଂ। ଯାହାକୁ ଲଣ୍ଡନରେ ହେନଲି ଏବଂ ପାର୍ଟନର୍ସ ପ୍ରସ୍ତୁତ କରିଥାଏ। ଏହା ୧୯୯ ପାସପୋର୍ଟର ରାଙ୍କିଂ କରିଥାଏ। ଏଥିପାଇଁ ଇଣ୍ଟରନ୍ୟାସନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ୍ (IATA) ରୁ ତଥ୍ୟ ନିଆଯାଇଥାଏ।