ଭୁବନେଶ୍ବର: ଧିରେ ଧିରେ ତେଜିବାରେ ଲାଗିଛି ବିଜେଡିର ଘର କଳି । କଳିର ପ୍ରଭାବରେ କେତେବେଳେ ଯେ କଣ ହେବ, ସେକଥା ଏବେ ସବୁ ଆକଳନ ବାହାରେ । ୨ ଦିନ ତଳେ ୨ ବିଧାୟକ ବିଜେଡିରୁ ବହିଷ୍କାର ହେବା ହେବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ଚମ୍ପୁଆ ବିଧାୟକ ସନାତନ ମହାକୁଡ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ବାହାର ରାସ୍ତା ଦେଖାଇବା ପରେ ଲୋକେ କହିଲେଣି କଣ ଗୋଟେ ହବାକୁ ଯାଉଛି । ସଜସଜ ସସପେଣ୍ଡ ହୋଇଥିବା ଏହି ଦୁଇ ନେତାଙ୍କ ବିରୁଦ୍ଧରେ ବିଜେଡିର ବହୁ ନେତା ବହୁ ଅଭିଯୋଗ କରୁଥିଲେ ସୁଦ୍ଧା ସସପେଣ୍ଡର ଅସଲ କାରଣ ଏବେ ବି ସସପେନ୍ସ ଭିତରେ । ହେଲେ ସନାତନ ଓ ଅରବିନ୍ଦଙ୍କୁ ବିଜେଡିରୁ ବାହାର କରିଦେବା ପରେ ମିଡ ଡେ ଅପରେସନ ଫେଲ୍ ବୋଲି କହିଛନ୍ତି ବିଜେଡି ନେତା ଲେନିନ ମହାନ୍ତି । “ଆଗରୁ ମିଡ ନାଇଟ ଅପରେସନ ଫେଲ ହୋଇଥିଲା, ଏବେ ମିଡ ଡେ ଅପରେସନ ବି ଫେଲ୍ । ଆଗାମୀ ଦିନରେ ଯଦି ମିଡ ଇଭିନିଙ୍ଗ ଅପରେସନ ହୁଏ, ତାହା ବି ଫେଲ ହେବ” କହିଛନ୍ତି ଲେନିନ୍ ।
ଲେଲିନ୍ ମହାନ୍ତିଙ୍କ କହିବା ଅନୁସାରେ, ବିଜେଡି ଦଳକୁ ଦୁର୍ବଳ କରିବାକୁ ଷଡଯନ୍ତ୍ର କରାଯାଇଥିଲା । ଏଥିରେ ବିଜୟ ମହାପାତ୍ର, ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ ଅଂଶ ଥିଲେ ଆଉ ଗତ କିଛି ମାସ ହେବ ଏମାନେ ଷଡଯନ୍ତ୍ରରେ ସାମିଲ ଥିଲେ । କିଛି ନେତା ବିଜେଡିକୁ ଦୁର୍ବଳ କରିବାକୁ ଲାଗିଛନ୍ତି, ଆଉ ସେମାନଙ୍କୁ ବିଜୟ ମହାପାତ୍ର, ବ୍ୟାକଅପ୍ ଦେଉଥିଲେ । ଦେବାଶିଷ ସାମନ୍ତରାୟଙ୍କ ଭଳି କିଛି ନେତା ବିଜେଡି ଭାଙ୍ଗୁ ବୋଲି କହିନାହାଁନ୍ତି କିନ୍ତୁ ଏମାନେ ଦଳକୁ କ୍ଷତି କରିବାକୁ ଚେଷ୍ଟା କରୁଥିଲେ, ସେଥିପାଇଁ କାର୍ଯ୍ୟାନୁଷ୍ଠାନ ହୋଇଛି । ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକତା ପାଇଁ ନିଲମ୍ବନ ହେଲେ । ମାସ ମାସ ଧରି ଏମାନଙ୍କ ସମ୍ପର୍କରେ ବିଚାର ପରେ ପ୍ରମାଣିତ ହେଲା, ଆଉ ତାପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।
ଲେନିନ ମହାନ୍ତିଙ୍କ ମନ୍ତବ୍ୟ ପରେ ତାଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । “ଭୂଲ୍-ଭୁଲେୟା କାହାଣୀ ନକହି ଅଭିଯୋଗର ତୁରନ୍ତ ପ୍ରମାଣ ଦିଅନ୍ତୁ” ବୋଲି କହିଛନ୍ତି ଅରବିନ୍ଦ । “ଯଦି ଅଭିଯୋଗ ଅଛି ତଥ୍ୟ ସହିତ କୁହନ୍ତୁ, କାହା ସହ କେଉଁଦିନ କେତେବେଳେ ବସିଥିଲି କହିଲେ ଭଲ ହେବ” ବୋଲି ସଫାସଫା ଶୁଣାଇଛନ୍ତି ଅରବିନ୍ଦ । “ମୁଁ ମାତ୍ର ଦେଢ ବର୍ଷର ବିଧାୟକ, ଅଭିଯୋଗ ଦଳ ଲଗାଇଛି, ଆଉ ଦଳ ମଧ୍ୟ ପ୍ରମାଣିତ କରିବା ଦରକାର । ମୋ ବାପା ସ୍ୱତନ୍ତ୍ର, ତାଙ୍କୁ ଅଯଥାରେ ବିବାଦ ଭିତରକୁ ଟାଣନ୍ତୁ ନାହିଁ । ଆଉ ଯଦି କହିବା ସନାତନ ମହାକୁଡଙ୍କ କଥା ସେ ଜଣେ ବରିଷ୍ଠ ନେତା, ବିଧାନସଭାରେ ତାଙ୍କ ସହ କେବଳ ମୋର ଦେଖା ହୋଇଛି । ଲବିରେ ମଧ୍ୟ ସନାତନ ମହାକୁଡଙ୍କ ସହ ମୋର ସାକ୍ଷାତ ହୋଇନି । ଅଲଗା ଦଳ କଥା ମୁଁ ଏ ଯାଏଁ ଭାବିନି, ୨୦୨୯ ପର୍ଯ୍ୟନ୍ତ ପାଟକୁରା ବିଧାୟକ ଅଛି ଆଉ ରହିବି” ବୋଲି କହିଛନ୍ତି ଅରବିନ୍ଦ ।
ଲେନିନ ଓ ଅରବିନ୍ଦଙ୍କ କଥା କଟାକଟିକୁ ନେଇ ଏବେ ରାଜ୍ୟ ରାଜନୀତି ବେଶ୍ ଚହଳ । ତେବେ ବିଜେଡି ପ୍ରମାଣ ଦେଉଛି ନା ଆଉ କିଛି କରୁଛି-ତା’ରି ଉପରେ ସମସ୍ତଙ୍କ ନଜର ।