ଓ୍ବାଶିଂଟନ୍: ଦ୍ବିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବାର ବର୍ଷକ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କର ଏମିତି ହରକତ ସୀମା ଟପିଲାଣି । ତେବେ ପ୍ରଶ୍ନ ଉଠୁଛି ଟ୍ରମ୍ପ କାହିଁକି ଏମିତି ହରକତ କରୁଛନ୍ତି, କ’ଣ ରହିଛି ଏହା ପଛର କାରଣ । ଏହା ଟ୍ରମ୍ପଙ୍କର ପାଗଳାପଣ, ନା ଦିନକୁ ଦିନକୁ ଭୁଷୁଡ଼ି ଚାଲିଥିବା ଆମେରିକା ଅର୍ଥନୀତିକୁ ବଞ୍ଚାଇବା ପାଇଁ ଏହା ଟ୍ରମ୍ପଙ୍କର ଏକ ଚାଲ୍ ।
ଆସନ୍ତୁ ଟ୍ରମ୍ପଙ୍କର ପୂରା ଘଟଣା କ୍ରମ ଉପରେ ନଜର ପକାଇବା
୨୦୨୫ ଫେବ୍ରୁଆରୀ ମାସରେ ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଆମେରିକା ଡକାଇ ସମସ୍ତଙ୍କ ଆଗରେ ଅପମାନିତ କଲେ । ସେହି ଫେବ୍ରୁଆରୀ ମାସରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଷ୍ଟାରର୍ମର ଓ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ରାମାଫୋସାଙ୍କ ସହ ଖୋଲାଖୋଲି ଝଗଡ଼ା କରିଥିଲେ ଟ୍ରମ୍ପ । କେବଳ ଏତିକି ନୁହେଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଓ ଭାରତ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନକଲ କରି ହସରେ ଉଡ଼ାଇଥିଲେ ।
ରାଷ୍ଟ୍ରପତି ଭାବେ ଶପଥ ନେଉ ନେଉ ବେଆଇନ ଅନୁପ୍ରବେଶ ଅଭିଯୋଗରେ ଅନେକ ଭାରତୀୟଙ୍କ ସମେତ ବହୁ ଅଣଆମେରିକୀୟଙ୍କୁ ଅପରାଧୀ ଭାବେ ହାତକଡ଼ି ପକାଇ ବିଦା କରିଥିଲେ । ୨୦୨୫ ଏପ୍ରିଲ ମାସରେ ରେସିପ୍ରୋକାଲ ଟାରିଫ ଲଗାଇବା ଆରମ୍ଭ କରିଥିଲେ ଟ୍ରମ୍ପ । ରୁଷଠାରୁ ପେଟ୍ରୋଲ କିଣିବାକୁ ବିରୋଧ କରି ଭାରତ ବିରୋଧରେ ୨୫ ପ୍ରତିଶତ ଟାରିଫ ଲଗାଇଥିଲା ଆମେରିକା । ସେହିପରି ଇରାନ ସହିତ ବାଣିଜ୍ୟ ସମ୍ପର୍କ ରଖିଥିବା ଦେଶମାନଙ୍କ ବିରୋଧରେ ୨୫ ପ୍ରତିଶତ ଅଧିକ ଟାରିଫ ଲଗାଇଥିଲେ ଟ୍ରମ୍ପ । ଆମେରିକାର ଏହି ରାଷ୍ଟ୍ରପତି ଏତେ ଅସହିଂଷ୍ଣୁ ଯେ, ଗ୍ରିନଲ୍ୟାଣ୍ଡରେ ଆମେରିକା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଶମାନଙ୍କ ବିରୋଧରେ ଅଧିକ ୧୦ ପ୍ରତିଶତ ଟାରିଫ ଲଗାଇବାକୁ ଭୁଲିନଥିଲେ ।
ଇଏ ତ କିଛି ନୁହେଁ, ଯେଉଁ ଟ୍ରମ୍ପ ବାରମ୍ବାର ଦାବି କରୁଛନ୍ତି ଯେ, ତାଙ୍କ ପାଇଁ ୮ଟି ଯୁଦ୍ଧ ବନ୍ଦ ହୋଇଛି, ସେହି ଟ୍ରମ୍ପଙ୍କ ପାଇଁ ଆମେରିକା ବର୍ଷକ ମଧ୍ୟରେ ୭ଟି ଦେଶ ଉପରେ ଆକ୍ରମଣ କରିଛି । ୟେମେନର ହଜାରରୁ ଅଧିକ ସ୍ଥାନ ଉପରେ କ୍ଷପଣାସ୍ତ୍ର ମାଡ଼ କରିବା ସହ ଡ୍ରୋନରେ ଆକ୍ରମଣ କରିଛି ଆମେରିକା । ୨୦୨୫ ମାର୍ଚ୍ଚ ୧୩ ତାରିଖରେ ଇରାକ ଉପରେ ଆକ୍ରମଣ, ୨୨ ଜୁନରେ ଇରାନ ଉପରେ ୧୨୫ ଯୁଦ୍ଧ ବିମାନରୁ ଏୟାର ଷ୍ଟ୍ରାଇକ । ସୋମାଲିଆ ଉପରେ ବର୍ଷକ ଭିତରେ ୧୧୧ ଥର ଆକ୍ରମଣ କରିଛି ଆମେରିକା । ଗତ ଡିସେମ୍ବରରେ ଅପରେସନ ହକ୍ ଆଇ ମାଧ୍ୟମରେ ସିରିଆର ୭୦ଟି ସ୍ଥାନ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଟ୍ରମ୍ପ । ସେହିପରି ନାଇଜେରିଆ ଓ ଭେନିଜୁଏଲା ଉପରେ ଆକ୍ରମଣ କରିବା ସହ ଏଇ ମାସ ଜାନୁଆରୀ ୨ ତାରିଖରେ ଭେନିଜୁଏଲା ରାଷ୍ଟ୍ରପତିଙ୍କୁ ଜୋରଜବରଦସ୍ତ ହାତକଡ଼ି ପକାଇ ଘରୁ ଉଠାଇ ନେଇଥିଲା ଆମେରିକା ।
ବର୍ଷକ ମଧ୍ୟରେ ଏତେ ସବୁ ହରକତ କରିବା ପରେ ଆଗକୁ ଆଉ କି କାଣ୍ଡ କରୁଛନ୍ତି ଟ୍ରମ୍ପ ତା ଉପରେ ରହିଛି ସାରା ପୃଥିବୀର ନଜର ।