Latest Odisha News

BREAKING NEWS

President Visit Odisha: ରାଷ୍ଟ୍ରପତିଙ୍କ ଗସ୍ତକୁ ତ୍ରୁଟି ଶୂନ୍ୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଫେବୃୟାରୀ ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଗୁରୁବାର ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରୁ ପ୍ରାପ୍ତ ସୂଚନା ଅନୁସାରେ ରାଷ୍ଟ୍ରପତି ୨ ତାରିଖ ସଂଧ୍ୟାରେ ଭୁବନେଶ୍ୱରରେ ପହଁଚି ସେଦିନ ଲୋକ ଭବନରେ କିଛି ସାକ୍ଷାତ କାର୍ଯ୍ୟକ୍ରମ ପରେ ରାତ୍ର ରହଣି କରିବେ। ପରଦିନ ୩ ତାରିଖ ସକାଳେ ସେ ଯାଜପୁର ଗସ୍ତ କରି ବିରଜା ମନ୍ଦିର ପରିଦର୍ଶନ କରି ନାଭି ଗୟା ଠାରେ ପୂଜାର୍ଚ୍ଚନା କରିବେ। ଅପରାହ୍ଣରେ ବାଲେଶ୍ୱର ଗସ୍ତ କରି ଫକୀରମୋହନ ବିଶ୍ୱ ବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେଦିନ ସଂଧ୍ୟାରେ ସେ ପୁରୀ ଗସ୍ତ କରି ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ କରି ଆଳତୀ ଏବଂ ପିଣ୍ଡଦାନ କରିବେ।

୪ ତାରିଖ ସକାଳେ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ରାଇରଙ୍ଗପୁର ମହୁଲଡିହା ସ୍ଥିତ ଅବକାଶ ଗୃହ ( ହୋଲି ଡେ ହୋମ) ଉଦଘାଟନ କରିବା ସହ ସେଠାରେ ଅନୁସୂଚିତ ଜନଜାତି, ଜାତି ଉନ୍ନୟନ ବିଭାଗ ପରିଚାଳିତ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରି ଭଂଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ଉନ୍ନୋଚନ କରିବେ। ପରେ ପରେ ବୈଦପୁର ଠାରେ ଏକ କ୍ରୀଡ଼ା କମ୍ପ୍ଲେକ୍ସ ଉଦଘାଟନ କରିବେ। ୪ ତାରିଖ ଅପରାହ୍ମରେ ରାଇରଙ୍ଗପୁରଠାରେ ଅନ୍ୟ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ୫ ତାରିଖ ସକାଳେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରଠାରେ ବିଶେଷ କାର୍ଯ୍ୟକ୍ରମରେ ଯୋଗଦେଇ ଅପରାହ୍ଣରେ ସିମିଳିପାଳ ଗସ୍ତ କରିବେ।

୬ ତାରିଖ ସକାଳେ ସେଠାରେ ମହିଳା ଏବଂ ଆଦିବାସୀ ଗୋଷ୍ଠୀର ଯୁବବର୍ଗଙ୍କ ସହିତ ବାର୍ତ୍ତା ବିନିମୟ କରିବେ। ଅପରାହ୍ଣରେ ଭୁବନେଶ୍ୱରରେ ପହଁଚି ଓଡ଼ିଶା ସରକାର ଏବଂ ଗ୍ଲୋବାଲ ଫିନାନ୍ସ ଟେକ୍ନୋଲୋଜି ନେଟଓ୍ୱର୍କର ମିଳିତ ଆୟୋଜନରେ ଅନୁଷ୍ଠିତ “ବ୍ଲାକ୍ ସ୍ୱାନ୍ ସମ୍ମିଳନୀ ଇଣ୍ଡିଆ” କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ୭ ତାରିଖ ସକାଳୁ ଭୁବନେଶ୍ୱର ବିମାନ ବନ୍ଦରରୁ ଛତିଶଗଡ଼ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତିଙ୍କ ଭୁବନେଶ୍ୱରରେ ପହଁଚିବା ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଏବଂ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ କରାଯିବା ନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ବ୍ୟକ୍ତିଗତ ଭାବେ ତଦାରଖ କରିବା ପାଇଁ ସଂପୃକ୍ତ ସମସ୍ତ ବିଭାଗର ସଚିବ, ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେବା ସହ କାର୍ଯ୍ୟକ୍ରମ ପରିଚାଳନାରେ ଯେପରି କୌଣସି ତ୍ରୁଟି ନହୁଏ, ସେଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.