ମୁମ୍ବାଇ: ଗିରଫ ହେଲେ ବିବାଦୀୟ ଅଭିନେତା ତଥା ଫିଲ୍ମ ସମାଲୋଚକ କମଲ ଆର ଖାନ । ମୁମ୍ବାଇର ଅନ୍ଧେରିର ଓଶିୱାରାରେ ଏକ ଆବାସିକ କୋଠାରେ ଚାରି ରାଉଣ୍ଡ ଗୁଳି ଚଳାଇବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ପୋଲିସ ଘଟଣାରେ ବ୍ୟବହୃତ ଲାଇସେନ୍ସପ୍ରାପ୍ତ ବନ୍ଧୁକକୁ ଜବତ କରିଛି ।
ଜାନୁଆରୀ ୧୮ ତାରିଖ ରବିବାର ରାତିରେ ଏହି ଗୁଳିଚଳାଇଥିବା ସୂଚନା ରହିଛି । ଏକ ଆବାସିକ କୋଠାର ଭିନ୍ନ ଭିନ୍ନ ଫ୍ଲାଟରେ ଦୁଇଟି ଗୁଳି ପଡ଼ିଥିବାର ଦେଖିବାକୁ ମିଳିଥିଲା, ଯାହା ପରେ ଏକ ମାମଲା ରୁଜୁ କରାଯାଇଥିବା ମୁମ୍ବାଇ ପୋଲିସ କହିଛି ।
ପଚରାଉଚରା ସମୟରେ କେଆରକେ ନିଜ ଦୋଷ ସ୍ବିକାର କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇଥିଲେ । ସେ ତାଙ୍କ ଘର ସାମ୍ନାରେ ଥିବା ବଡ଼ ମାଙ୍ଗ୍ରୋଭ୍ ଜଙ୍ଗଲ ଆଡ଼କୁ ବନ୍ଧୁକ ଚଳାଇଥିଲେ। କିନ୍ତୁ,ପବନ ଯୋଗୁଁ ଗୁଳିଟି ଟିକିଏ ଆଗକୁ ଯାଇ ଓଶିୱାରାର ଏକ କୋଠାରେ ବାଜିଥିବା ସେ କହିଛନ୍ତି ।
ତେବେ ଏହି ଘଟଣାରେ କୌଣସି ଆହତ ହୋଇଥିବାର ରିପୋର୍ଟ ହୋଇନାହିଁ । ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ କାଗଜପତ୍ର ଜାରି ରଖିଛି ମୁମ୍ବାଇ ପୋଲିସ । ତେବେ କେଆରକେ କେତେ ସତ କହୁଛନ୍ତି ସେନେଇ ତଦନ୍ତ ଜାରି ରହିଛି ।