Latest Odisha News

BREAKING NEWS

କଟକ ଖାନନଗରରେ ‘ଆମ ବସ୍’ ଭଙ୍ଗାରୁଜା ଘଟଣା; ଆଇନ୍ ହାତକୁ ନନେବାକୁ କ୍ରୁଟର ଅପିଲ…

କଟକ: କଟକ ନେତାଜୀ ବସ୍ ଟର୍ମିନାଲରୁ ଚଳାଚଳ କରୁଥିବା ୧୮ ନମ୍ବର ରୁଟ୍ ର ଖାନନଗର, ସାଇ ମନ୍ଦିର ନିକଟରେ ଆମ ବସକୁ ଭଙ୍ଗାରୁଜା କରିଛନ୍ତି ଅଟୋଚାଳକ। ଏପରିକି ବସ୍ ଚାଳକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ସକାଳ ସମୟରେ କଟକରେ ଏକ ମାରାଥନ୍ ଚାଲିଥିବାରୁ ଏକ ପାର୍ଶ୍ୱ ରାସ୍ତା ବନ୍ଦ ଥିଲା। ଏହାକୁ ଦୃଷ୍ଟିରେ ରଖି ଦାୟିତ୍ୱରେ ଥିବା ପୁଲିସ୍ କର୍ମଚାରୀଙ୍କ କହିବା ଅନୁସାରେ ବସ୍‌ଟିକୁ ଅନ୍ୟ ଏକ ରାସ୍ତାରେ ଯିବାକୁ ପଡ଼ିଥିଲା। ଏହି ସମୟରେ କିଛି ଅଟୋ ଚାଳକ ହଠାତ୍ ବସ୍‌ଟିକୁ ଅଟକାଇ କ୍ୟାପଟେନ (ଚାଳକ)ଙ୍କୁ ଅଶୋଭନୀୟ ଭାଷାରେ ଗାଳିଗୁଲଜ ଆରମ୍ଭ କରିଥିଲେ। ଯଦିଓ ଆମ ବସ୍ ଓ ଅଟୋ ମଧ୍ୟରେ କୌଣସି ଦୁର୍ଘଟଣା ହୋଇ ନଥିଲା। ତଥାପି ଦୁର୍ବୃତ୍ତମାନେ ବସ୍‌ର ସାମ୍ନା ଭାଇପର୍‌କୁ ଭାଙ୍ଗି, ସେହି ଭଙ୍ଗା ଭାଇପର୍‌ ଦ୍ୱାରା ସାମ୍ନା ଗ୍ଲାସ୍ (ୱିଣ୍ଡସ୍କ୍ରିନ୍) ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଫଳରେ ବସ୍‌ର ସାମ୍ନା ଭାଇପର୍ ଏବଂ ସାମ୍ନା ୱିଣ୍ଡସ୍କ୍ରିନ୍ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା କର୍ମଚାରୀ ଆହତ ହୋଇନାହାନ୍ତି।

ଘଟଣା ସମ୍ପର୍କରେ ପୁଲିସରେ ଅଭିଯୋଗ କରାଯାଇଛି। କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ସାର୍ବଜନୀନ ପରିବହନ ସେବା ଓ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରି ଆଇନକୁ ହାତକୁ ନେଉଥିବା ପ୍ରତ୍ୟେକ ଲୋକଙ୍କ ଉପରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଅଟୋ ଚାଳକଙ୍କ ଏପରି ଆକ୍ରମଣକୁ କ୍ରୁଟ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦୃଢ଼ ନିନ୍ଦା କରାଯାଉଛି। କୌଣସି ପରିସ୍ଥିତିରେ ଆଇନ୍ ହାତକୁ ନ ନେବାକୁ ଓ ସର୍ବସାଧାରଣଙ୍କ ନିମନ୍ତେ ଥିବା ଆମ ବସ୍ ର କ୍ଷତି ନକରିବାକୁ କ୍ରୁଟ୍ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି।

 

Leave A Reply

Your email address will not be published.