Latest Odisha News

ଏହି ସବୁ ସମସ୍ୟା ନେଇ ଫେବ୍ରୁଆରୀ ୨ରୁ ୧୭ ଯାଏଁ ପ୍ରତିଟି ଜିଲ୍ଲାରେ ବିକ୍ଷୋଭ କରିବ ବିଜେଡି

ଭୁବନେଶ୍ୱର: ଫେବ୍ରୁଆରୀ ୨ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତିଟି ଜିଲ୍ଲାରେ ବିକ୍ଷୋଭ କରିବ ବିଜେଡି । ଚାଷୀଙ୍କ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତୃମଣ୍ଡଳୀ ଏହି ସୂଚନା ଦେଇଛନ୍ତି ।

୨୪ ତାରିଖରେ ଭୁବନେଶ୍ୱରରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ ହେବ । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା, ବିଧାୟକ ଡ. ଅରୁଣ କୁମାର ସାହୁ ରାଜ୍ୟ ବିଜେପି ସରକାରଙ୍କ ବିଫଳତାକୁ ବଖାଣିବା ସହିତ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି ବୋଲି କହିଥିଲେ ।

ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି ଯେ, ଚାଷୀଙ୍କୁ ସାର ମୁଠାଏ ଦେବା ପାଇଁ ସରକାର ହନ୍ତସନ୍ତ କଲେ । ଏବେ ଧାନ କିଣା ପ୍ରକ୍ରିୟା ଠିକ ଭାବେ ହୋଇପାରୁନାହିଁ । ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ । ରାଜ୍ୟରେ ଚଳିତ ବର୍ଷ ୧୯ ଲକ୍ଷ ୬୬ ହଜାର ୧୮୧ ଚାଷୀ ପଞ୍ଜିକୃତ ହୋଇଛନ୍ତି । ଏବେ ସୁଦ୍ଧା ମାତ୍ର ୨୯% ଚାଷୀଙ୍କଠାରୁ ନିର୍ଦ୍ଧାରିତ ୭୩ ଲକ୍ଷ ମେଟ୍ରିକ ଟନରୁ ମାତ୍ର ୨୫ଲକ୍ଷ ମେଟ୍ରିକ ଟନ ଧାନ କିଣାଯାଇଛି । ଖରିଫ ଧାନ କିଣା ଅଧିକ ବିଳମ୍ବିତ ହେଲେ ଡାଳୁଅ ଧାନ ପାଇଁ ଚାଷୀମାନେ ଅର୍ଥ ଯୋଗାଡ଼ କରିବାକୁ ଅସମର୍ଥ ହେବେ ।

ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ସରକାରୀ ତଥ୍ୟ ଅନୁଯାୟୀ, ୪୦ ହଜାରରୁ ଅଧିକ ମହିଳା ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହୋଇଛନ୍ତି । ସାମ୍ପ୍ରଦାୟିକ ଉତ୍ତେଜନା ବୃଦ୍ଧି ପାଇଛି । ସାଧାରଣ ଲୋକେ ଏବେ ଥାନାକୁ ଯିବାକୁ ଭୟ କରୁଛନ୍ତି । ବିଜେଡି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୨ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତି ଜିଲ୍ଲାରେ ବିକ୍ଷୋଭ କରାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.