ଭୁବନେଶ୍ୱର: ୭୭ତମ ଗଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱରରେ ଆୟୋଜିତ ଏକ ପୁରସ୍କାର ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ହରି ବାବୁ କମ୍ଭମପତି ସୋମବାର ଦିନ ୪୨ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସାହସିକତା ପାଇଁ ପୋଲିସ ପଦକ ପ୍ରଦାନ କରିଛନ୍ତି। ଏଥିସହିତ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ, ପ୍ରଶଂସନୀୟ ସେବା ପାଇଁ ପଦକ ଏବଂ ରାଜ୍ୟପାଳ ପଦକ ପ୍ରଦାନ ମଧ୍ୟ ପ୍ରଦାନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ୨୦୨୫ ସ୍ୱାଧୀନତା ଦିବସରେ ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ପୁରସ୍କାର ପଦକ ମାନ ଘୋଷଣା କରାଯାଇଥିଲା। ତେବେ ଏହି ମର୍ଯ୍ୟାଦାଜନକ ସମ୍ମାନ, ଅସାଧାରଣ ସାହସ, ଅଟଳ ସମର୍ପଣ ଏବଂ ଦେଶ ପ୍ରତି ନିଜର କର୍ତ୍ତବ୍ୟକୁ ସୂଚାଇଥାଏ। ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ୨୦ ଜଣ ଅଧିକାରୀ ପ୍ରଶଂସନୀୟ ସେବା ପାଇଁ ରାଜ୍ୟପାଳ ପଦକ ପାଇଥିଲେ। ଏହି ବ୍ୟକ୍ତି ମାନଙ୍କ ମଧ୍ୟରେ ଦକ୍ଷିଣ ରେଞ୍ଜ ଇନ୍ସପେକ୍ଟର ଜେନେରାଲ ନୀତି ଶେଖର, କେନ୍ଦ୍ରୀୟ ରେଞ୍ଜ ଇନ୍ସପେକ୍ଟର ଜେନେରାଲ ସତ୍ୟଜିତ ନାୟକ ଏବଂ ପୁରୀ ପୋଲିସ ଅଧିକ୍ଷକ ପ୍ରତୀକ ସିଂହ ସାମିଲ ଅଛନ୍ତି।
ସେହିପରି କର୍ତ୍ତବ୍ୟ ପାଳନ ସମୟରେ ଅସାଧାରଣ ସାହସିକତା ପ୍ରଦର୍ଶନ ପାଇଁ ଓ କାର୍ଯ୍ୟ ଜୀବନ କାଳ ମଧ୍ୟରେ ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ନଅ ଜଣ କର୍ମଚାରୀଙ୍କୁ ପ୍ରତିଷ୍ଠିତ ରାଷ୍ଟ୍ରପତିଙ୍କ ସାହସିକତା ପଦକରେ ସମ୍ମାନିତ କରାଯାଇଥିଲା। ଏହାବ୍ୟତୀତ ଦୁଇଜଣ ଅଧିକାରୀଙ୍କୁ ସେମାନଙ୍କର ନିରନ୍ତର ଉତ୍କର୍ଷତା, ବୃତ୍ତିଗତତା ଏବଂ କର୍ତ୍ତବ୍ୟ ପ୍ରତି ଦୀର୍ଘସ୍ଥାୟୀ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ବିଶିଷ୍ଟ ସେବା ପାଇଁ ପୋଲିସ ପଦକ ପ୍ରଦାନ କରାଯାଇଥିଲା। ୧୧ ଜଣ କର୍ମଚାରୀଙ୍କୁ ସେମାନଙ୍କ ଭୂମିକାରେ ଦକ୍ଷତା ଏବଂ ସଚ୍ଚୋଟତାର ଉଚ୍ଚ ମାନଦଣ୍ଡ ପାଇଁ ଓ ସେମନଙ୍କର ପ୍ରଶଂସନୀୟ ସେବା ପାଇଁ ପୋଲିସ ପଦକ ପ୍ରଦାନ କରାଯାଇଥିଲା।
ତେବେ ଆହୁରି ମଧ୍ୟ ଅଗ୍ନିଶମ ସେବାର ସାତ ଜଣ ସଦସ୍ୟ ଏବଂ ଜେଲ ବିଭାଗର ତିନି ଜଣ କର୍ମଚାରୀଙ୍କୁ ଜନ ସୁରକ୍ଷା, ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ଜେଲ ପ୍ରଶାସନରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ପୋଲିସ ପଦକ ପ୍ରଦାନ କରାଯାଇଥିଲା।