Latest Odisha News

BREAKING NEWS

ଛତିଶଗଡ଼ ଅଭିମୁଖେ ମହାନଦୀ ବଞ୍ଚାଓ ଆନ୍ଦୋଳନ ଟିମ୍, ବେଆଇନ ବାଲିବନ୍ଧ ଭାଙ୍ଗିବ…

ଭୁବନେଶ୍ବର: ରାଜସ୍ବ ମନ୍ତ୍ରୀଙ୍କ ଉକ୍ତିକୁ ନେଇ ସ୍ପଷ୍ଟୀକରଣ ରଖିଲା ମହାନଦୀ ବଞ୍ଚାଓ ଆନ୍ଦୋଳନ ପ୍ରତିନିଧି ମଣ୍ଡଳ । ଆଜି ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଛତିଶଗଡ଼ ଯାଇ କଲମା ବ୍ୟାରେଜ ନିକଟରେ ଯେଉଁ କାର୍ଯ୍ୟକ୍ରମ ରଖାଯାଇଛି, ତାକୁ ନେଇ ମନ୍ତ୍ରୀ ଯେଉଁ ପରାମର୍ଶ ଆମକୁ ଦେଇଛନ୍ତି ସେଥିପାଇଁ ତାଙ୍କୁ ଆମେ ଧନ୍ୟବାଦ ଜଣାଉଛୁ l ମହାନଦୀକୁ ନେଇ ଆମର ଭାବାବେଗ ପ୍ରତି ସେ ଯେଉଁ ସମ୍ମାନ ଜଣାଇଛନ୍ତି ତାକୁ ଆମେ ସ୍ୱାଗତ କରୁଛୁ ବୋଲି ପ୍ରତିନିଧି ମଣ୍ଡଳ ପକ୍ଷରୁ କୁହାଯାଇଛିl

ଆମର ଦୃଷ୍ଟିଭଙ୍ଗୀ ହେଲା ଯେ ମହାନଦୀ ସାଂସ୍କୃତିକ, ସାମାଜିକ ଓ ଅର୍ଥନୈତିକ ଭାବରେ ଉଭୟ ଛତିଶଗଡ଼ ଓ ଓଡିଶାକୁ ଯୋଡିଥାଏ, ତାହା ଉଭୟ ରାଜ୍ୟର ଲୋକଙ୍କ ସମ୍ପର୍କକୁ କେବେ ଭାଙ୍ଗି ନଥାଏ l ଦୁଇ ରାଜ୍ୟ ଭିତରେ ଥିବା ସମ୍ପର୍କକୁ ଆମେ ସମ୍ମାନ ଜଣାଉ l ତାକୁ କ୍ଷତ ବିକ୍ଷତ ହେବାକୁ ଆମେ ପସନ୍ଦ କରୁନାହୁଁ l ତେଣୁ ଛତିଶଗଡ଼ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାର ପ୍ରଶ୍ନ ଉଠୁନାହିଁ l

ଆମେ ଆଇନର ପରିଧି ଭିତରେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରିଆସିଛୁ l କେବେ ବି ତାକୁ ଅବମାନନା କରି ନାହୁଁ ଆମର ୧୦ ବର୍ଷର କାର୍ଯ୍ୟକ୍ରମ ଗୁଡିକ ଭିତରେ, ଆଜି ମଧ୍ୟ ଆମେ ରାଜସ୍ବ ମନ୍ତ୍ରୀଙ୍କୁ ସେହି ପ୍ରତିଶୃତି ଦେବାକୁ ଚାହୁଁ ଯେ ଆମେ ଏମିତି କିଛି କାର୍ଯ୍ୟ କରିବୁ ନାହିଁ ଯାହା ଆଇନ ବିରୋଧୀ ହେବ ବା ଦୁଇ ରାଜ୍ୟର ଲୋକଙ୍କ ଭିତରେ ତିକ୍ତତା ସୃଷ୍ଟି କରିବ l

ଆମେ କଲମା ବ୍ୟାରେଜ ଭାଙ୍ଗିବାକୁ ଯାଉନାହୁଁ ଯାହା ଟ୍ରିବୁନାଲର ବିଚରାଧୀନ ଅଛି l ମାତ୍ର କଲମା ବ୍ୟାରେଜ ତଳେ ଯେଉଁ ବାଲିବନ୍ଧ ଛତିଶଗଡ଼ରେ ହୋଇଛି ତାହା ଆଇନ ବିରୋଧୀ l ଏହାକୁ ନେଇ ଆମେ ରାଜ୍ୟ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଛୁ ଯାହାର କିଛି ଫଳ ମିଳିନାହିଁ l ଶେଷରେ ଛତିଶଗଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଏକ ପତ୍ର ମାଧ୍ୟମରେ ସେହି ବାଲିବନ୍ଧକୁ ହଟାଇବା ପାଇଁ ଆମେ ଦାବି ଜଣାଇଛୁ l ସେହି ପତ୍ରର ନକଲ ମାନ୍ୟବର ପ୍ରଧାନମନ୍ତ୍ରୀ, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଟ୍ରିବୁନାଲର ଅଧକ୍ଷା, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀଙ୍କୁ ଦେଇଛୁ l ମାତ୍ର କେହି ଆମର କଥା ଶୁଣିନାହାନ୍ତି l ଆଜି ପର୍ଯ୍ୟନ୍ତ ମହାନଦୀ ବଞ୍ଚାଓ ଆନ୍ଦୋଳନ ସହିତ ଥରେ ବୋଲି ଆଲୋଚନା ପାଇଁ ଆଗ୍ରହ ଦେଖାଇ ନାହାନ୍ତି l ଯାହା ଆମକୁ ଗଭୀର ଭାବରେ ବ୍ୟଥିତ କରିଛି l

ଆମେ ଆଜି ଛତିଶଗଡ଼ ଯାଇ କଲମା ବ୍ୟାରେଜ ଭାଙ୍ଗିବୁ ନାହିଁ କି କାହା ବିରୋଧରେ ଯୁଦ୍ଧ କରିବୁ ନାହିଁ l କେବଳ ବେଆଇନ ଭାବରେ ନିର୍ମିତ ବାଲି ବନ୍ଧର ପ୍ରତିବାଦ କରିବୁ ଏବଂ ପ୍ରତୀକାତ୍ମକ ଭାବରେ ବାଲି ବନ୍ଧ ହଟାଇବାକୁ ପ୍ରୟାସ କରିବୁ l ସରକାରଙ୍କ ଏହି ଗମ୍ଭୀର ସମସ୍ୟାକୁ ନେଇ ସ୍ଥାଣୁତା ଓ ନୀରବତାକୁ ଭାଙ୍ଗିବା ପାଇଁ ଏହା ଏକ ପ୍ରୟାସ ବୋଲି ରାଜସ୍ବ ମନ୍ତୀ ବିବେଚନା କରିବେ ବୋଲି ଆମର ବିଶ୍ୱାସ l ମହାନଦୀ ଜଳ ବିବାଦର ସମାଧାନ ଦିଗରେ ସମସ୍ତ ପ୍ରକାରର ବାସ୍ତବ ଓ ଗଠନ ମୂଳକ କାର୍ଯ୍ୟକ୍ରମକୁ ଆମେ ସମର୍ଥନ ଦେବୁ ବୋଲି ରାଜସ୍ବ ମନ୍ତ୍ରୀଙ୍କୁ ପ୍ରତିଶୃତି ଦେଉଛୁ l

Leave A Reply

Your email address will not be published.