କୋରାପୁଟ: କୋଟିଆ ଉପରେ ପଡୋଶୀ ଆନ୍ଧ୍ରର ନଜର । ଗୁରୁବାର ଆନ୍ଧ୍ର ରାଜ୍ୟର କିଛି ସରକାରୀ ଅଧିକାରୀ ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା କୋଟିଆ ପଞ୍ଚାୟତର ଉପର ସେମ୍ବି ଗ୍ରାମ, ଗଞ୍ଜେଇ ପଦର ପ୍ରମୁଖ ଅଞ୍ଚଳରେ ରାସନ୍ ଓ ଆଧାର କାର୍ଡ ଇ-ସର୍ଭେ କରୁଥିଲେ। ଆକଟ କରିବାରୁ ପୋଲିସ ସହ ବଚସା ଓ କଥା କଟାକଟି ହୋଇଥିଲା । ଶେଷରେ ପୋଲିସ୍ ର ତାଗିଦ ପରେ ଆନ୍ଧ୍ର ସର୍ଭେ ଟିମ୍ ଫେରିଯାଇଥିଲେ ।
ଗତ ୨୪ତାରିଖ ଦିନ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କୋଟିଆ ପଞ୍ଚାୟତ ଗସ୍ତ କରି ଫେରିବାର ଗୋଟିଏ ଦିନ ପରେ ଆନ୍ଧ୍ର ଆରମ୍ଭ କରିଛି ଅପରେସନ କୋଟିଆ। ମଙ୍ଗଳବାର ଆନ୍ଧ୍ର ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ଜନସେନା ଦଳ ୧୨ଟି ଗାଁର ମୁଖିଆ ଓ ଲୋକଙ୍କୁ ନେଇ ଉପରସେମ୍ବିରେ ବୈଠକ କରି ବିବାଦୀୟ ଗାଁକୁ ନିଜର ବୋଲି ଦାବି କରିଛି।
କୋଟିଆରେ ଜନସେନା ଦଳର ମେଳି ଭିତରେ ଆଇନମନ୍ତ୍ରୀ ପୃଥ୍ବୀରାଜ କହିଛନ୍ତି କୋଟିଆବାସୀ ଆମ ସାଥୀରେ ଅଛନ୍ତି। କେହି ଡରେଇ ଧମକାଇ ଆମ ଲୋକଙ୍କୁ ନେଇପାରିବେନି।
ବାରମ୍ବାର ଆନ୍ଧ୍ର ସରକାରଙ୍କ ଇଙ୍ଗିତରେ ଆନ୍ଧ୍ର ଅଧିକାରୀ ଜୋରଜବରଦସ୍ତି ପଶି କୋଟିଆକୁ ନିଜର ବୋଲି ଦାବି କରୁଛନ୍ତି । କୋଟିଆର ସମ୍ପୂର୍ଣ୍ଣ ଅଞ୍ଚଳ ଓଡ଼ିଶା ସହ ରହିବ।