ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ପ୍ରଥମ ବଜେଟରେ ସରକାର ଗରିବ, ଅସହାୟ ଏବଂ ବଞ୍ଚିତ ଶ୍ରେଣୀର ବିକାଶ ପାଇଁ ନିଜର ସଂକଳ୍ପ ଦୋହରାଇଛନ୍ତି। ଏହି ସଂକଳ୍ପକୁ ପୂରଣ କରିବା ପାଇଁ ଅର୍ଥମନ୍ତ୍ରୀ ତିନୋଟି ‘କର୍ତ୍ତବ୍ୟ’ ଉପରେ ଗୁରୁତ୍ୱ ଦେଇଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏହି କର୍ତ୍ତବ୍ୟଗୁଡ଼ିକ ଦେଶକୁ ଏକ ସମୃଦ୍ଧ ଏବଂ ସମାବେଶୀ ଅର୍ଥନୀତି ଆଡ଼କୁ ଆଗେଇ ନେବାରେ ସହାୟକ ହେବ ।
ପ୍ରଥମ କର୍ତ୍ତବ୍ୟ ହେଉଛି ଅର୍ଥନୈତିକ ଅଭିବୃଦ୍ଧି । ଉତ୍ପାଦନ କ୍ଷମତା ଓ ପ୍ରତିଯୋଗିତାମୂଳକ ମନୋଭାବ ବୃଦ୍ଧି କରି ଦେଶର ଅର୍ଥନୀତିକୁ ଗତିଶୀଳ କରିବା । ବିଶ୍ୱସ୍ତରୀୟ ଅସ୍ଥିରତା ମଧ୍ୟରେ ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବା ସରକାରଙ୍କ ପ୍ରାଥମିକତା ।
ସେହିପରି, ଦ୍ୱିତୀୟ କର୍ତ୍ତବ୍ୟ ହେଲା ଲୋକଙ୍କ ସାମର୍ଥ୍ୟ ବୃଦ୍ଧି । ଦେଶବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା । ଯାହାଫଳରେ ପ୍ରତିଟି ନାଗରିକ ଭାରତର ସମୃଦ୍ଧି ପଥରେ ଜଣେ ଜଣେ ଶକ୍ତିଶାଳୀ ସହଭାଗୀ ହୋଇପାରିବେ ।
ତୃତୀୟ କର୍ତ୍ତବ୍ୟ ରହିଛି ସମ୍ବଳର ସମାନ ବଣ୍ଟନ: ‘ସବ୍କା ସାଥ୍ ସବ୍କା ବିକାଶ’ ଦୃଷ୍ଟିକୋଣକୁ ଆଧାର କରି ପ୍ରତିଟି ପରିବାର, ସମ୍ପ୍ରଦାୟ, ଅଞ୍ଚଳ ଏବଂ କ୍ଷେତ୍ର ଯେପରି ଆବଶ୍ୟକ ସମ୍ବଳ ଓ ସୁବିଧା ପାଇପାରିବେ, ତାହା ନିଶ୍ଚିତ କରିବା ।