Development Projects In Subarnapur: ସୁବର୍ଣ୍ଣପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬୩୩ କୋଟିର ପ୍ରକଳ୍ପ ଘୋଷଣା,ଓପନ୍ ଏୟାର ଥିଏଟର ପାଇଁ ୧୧.୨୩ କୋଟି
ଭୁବନେଶ୍ୱର: ସ୍ୱୟଂ ସହାୟକ ଗୋଷ୍ଠୀର ଭଉଣୀମାନେ କେବଳ ଲାଭାର୍ଥୀ ନୁହନ୍ତି, ସେମାନେ ଓଡ଼ିଶା ବିକାଶ ଯାତ୍ରାରେ ଅଂଶୀଦାର । ସେମାନଙ୍କ କଠିନ ପରିଶ୍ରମ, ଶୃଙ୍ଖଳା ଏବଂ ଉଦ୍ୟୋଗୀ ମନୋଭାବ ଗ୍ରାମୀଣ ଅର୍ଥନୀତିରେ ପରିବର୍ତ୍ତନ ଆଣିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଠାରେ ଆୟୋଜିତ ସୁଭଦ୍ରା ଶକ୍ତିମେଳା କାର୍ଯ୍ୟକ୍ରମରେ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଖଲିଆପାଲି ସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ସମାଧି ପୀଠ ପରିଦର୍ଶନ କରି ପରିଚାଳନା କମିଟିର ସଦସ୍ୟ ଓ ସାଧୁମାନଙ୍କ ସହିତ ଆଲୋଚନା କରିଥିଲେ ।
ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କହିଥିଲେ ଯେ, ଓଡ଼ିଶାର ସାମାଜିକ ଓ ଆଧ୍ୟାତ୍ମିକ ଚେତନାକୁ ଦିଗ୍ଦର୍ଶନ ଦେଇଥିବା ସନ୍ଥକବି ଭୀମ ଭୋଇଙ୍କ ସମ୍ମାନାର୍ଥେ ତାଙ୍କ ସମାଧି ପୀଠର ବ୍ୟାପକ ବିକାଶ କରାଯିବ । ଏଥି ନିମନ୍ତେ ୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ଏଥି ସହିତ ମୁଖ୍ୟମନ୍ତ୍ରୀ ୬୩୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ଘୋଷଣା କରିଥିଲେ । ଏଥିରେ ମାରୁଦାଗୋଚ୍ଛା ଠାରେ ୫୫୭ କୋଟି ଟଙ୍କାରେ ନଦୀଗର୍ଭ ଜଳାଶୟ ନିର୍ମାଣ, ୧୧.୨୩ କୋଟି ଟଙ୍କାରେ ସଂସ୍କୃତି ଭବନ ଠାରେ ଓପନ୍ ଏୟାର ଥିଏଟର ନିର୍ମାଣ, ୨୫.୨୮ କୋଟି ଟଙ୍କାରେ ଗାନ୍ଧୀ ଷ୍ଟାଡିଅମର ନବୀକରଣ, ୪.୨୩ କୋଟି ଟଙ୍କାରେ ବ୍ଲକ୍ ଛକ ଜଙ୍କସନ ରୋଡ୍ର ଉନ୍ନତି କରଣ କାର୍ଯ୍ୟ ରହିଛି ।
ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ଅବସରରେ ୨୭୬ କୋଟି ଟଙ୍କା ମୂଲ୍ୟର ୫୮ ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଥିରେ ୧୭୩ କୋଟି ଟଙ୍କା ବ୍ୟୟରେ ୨୪ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ୧୦୩ କୋଟି ଟଙ୍କା ବ୍ୟୟରେ ୩୪ଟି ପ୍ରକଳ୍ପର ଉଦ୍ଘାଟନ କରାଯାଇଛି । ଏସବୁ ପ୍ରକଳ୍ପ ଗୁଡ଼ିକ ସଡ଼କ, ପାନୀୟ ଜଳ, ଜଳ ସେଚନ, ଶିକ୍ଷା, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗ୍ରାମୀଣ ବିକାଶ ଏବଂ ସହରାଞ୍ଚଳ ବିକାଶ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୁଭଦ୍ରା ଶକ୍ତି ମେଳା ଅବସରରେ ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁର ଜିଲ୍ଲାର ୧୮୪୮ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୨୬ କୋଟି ଟଙ୍କାର ସୁଧ-ମୁକ୍ତ ଋଣ ପ୍ରଦାନ କରିଛନ୍ତି । ଏହି ଆର୍ଥିକ ସହାୟତା ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ଗୁଡ଼ିକ ଆହୁରି ମଜବୁତ୍ କରିବ, ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବ ଓ ସେମାନଙ୍କର ଜୀବିକା ବୃଦ୍ଧି କରିବ ବୋଲି ସେ କହିଛନ୍ତି ।
ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ବିକାଶ ପ୍ରକ୍ରିୟାରେ ସବୁ ବର୍ଗର ଲୋକ ସାମିଲ ହେଉଛନ୍ତି । ଗରିବ, ଆଦିବାସୀ, ମହିଳା ଓ ଯୁବବର୍ଗ ସମସ୍ତଙ୍କର ସଶକ୍ତିକରଣ ହେଉଛି । ବିକାଶ ଯେପରି ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିବ ତାହା ଆମେ ସୁନିଶ୍ଚିତ କରୁଛୁ । ଗ୍ରାମାଞ୍ଚଳ ପାଇଁ ଆମେ ରାସ୍ତା, ପାନୀୟ ଜଳ ଯୋଗାଣ, ଜଳ ସେଚନ ଓ ଗୃହ ସୁବିଧାକୁ ଉନ୍ନତ କରୁଛୁ । ସହରାଞ୍ଚଳ ପାଇଁ ଆମେ ନାଗରିକ ସୁବିଧା ଓ ସାର୍ବଜନୀନ ସେବାକୁ ଉନ୍ନତ କରୁଛୁ । ସବୁ ଜିଲ୍ଲାରେ ଆମର ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରହିଛି । ସୁବର୍ଣ୍ଣପୁର ଜିଲ୍ଲାରେ ୧୦୦୦ କୋଟିରୁ ଅଧିକ ଟଙ୍କାର ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ କୃଷି, ହସ୍ତତନ୍ତ, ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ଅପାର ସମ୍ଭାବନା ରହିଛି । ଏହି ସମ୍ଭାବନାକୁ ସଦୁପଯୋଗ କରି ଜିଲ୍ଲାରେ ସ୍ଥାୟୀ ସମୃଦ୍ଧି ଆଣିବା ପାଇଁ ଆମ ସରକାର ଉଦ୍ୟମ ଜାରି ରଖିବ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ ।
ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା କହିଥିଲେ ଯେ ଆମ ସରକାର ହେଉଛି, ଲୋକଙ୍କ ସରକାର । ଆମ ସରକାର ଆସିବାର ଏହି ଅଳ୍ପ ଦିନ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର କୃଷି, ଜଳସେଚନ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ତତ୍ପର ଅଛନ୍ତି । ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।