Latest Odisha News

BREAKING NEWS

Sujata Acharya’s Novel: ସୁଜାତା ଆଚାର୍ଯ୍ୟଙ୍କ ଉପନ୍ୟାସ ‘କେବେ ଖରା, କେବେ ଛାଇ’ ଲୋକାର୍ପିତ

ଭୁବନେଶ୍ୱର:ଉପନ୍ୟାସ ମାଧ୍ୟମରେ ହିଁ ଜୀବନର ସୂକ୍ଷ୍ମ ଅବବୋଧ, ଘଟଣା ଚରିତ୍ର, କାଳଖଣ୍ଡ ଏବଂ ସାମାଜିକ ଚିତ୍ର ଓ ଚରିତ୍ରର ଏକ ଦୀର୍ଘସ୍ଥାୟୀ ପ୍ରଭାବ ଅନୁଭୂତ ହୋଇଥାଏ । ଉପନ୍ୟାସ ମାଧ୍ୟମରେ ଲେଖକୀୟ ଅନ୍ବେଷଣର ଏକ ନିଖୁଣ ପ୍ରତିଛବି ତଥା ସାମାଜିକ ଘଟଣାକ୍ରମର ପ୍ରତିଫଳନ ଜୀବନ୍ୟାସ ପାଇଥାଏ ଯାହା ପାଠକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିପାରେ । ସଂପ୍ରତି ଓଡ଼ିଆ ସାହିତ୍ୟ ଉପନ୍ୟାସ ଲେଖିବା ଏବଂ ତାକୁ ପଢ଼ିବା ପାଇଁ ଆଗ୍ରହ କମି କମି ଯାଉଛି । ଏହି ସମୟରେ ସୁଜାତା ଆଚାର୍ଯ୍ୟଙ୍କ ଲିଖିତ ଉପନ୍ୟାସ ‘କେବେ ଖରା, କେବେ ଛାଇ’ ପାଠକମାନଙ୍କୁ ନିଶ୍ଚିତ ଭାବେ ଏକ ଭିନ୍ନ ଅନୁଭବ ଦେବ ବୋଲି ପୁସ୍ତକ ଲୋକାର୍ପଣ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଲେଖିକା ସୁଜାତା ଆଚାର୍ଯ୍ୟଙ୍କ ପ୍ରଥମ ଉପନ୍ୟାସ ‘କେବେ ଖରା, କେବେ ଛାଇ’ ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାକକ୍ଷରେ ଏକ ସାରସ୍ୱତ ପରିବେଶରେ ଲୋକାର୍ପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱନାମଧନ୍ୟ ସାହିତ୍ୟିକା ଡ. ଜୟନ୍ତୀ ରଥ କହିଥିଲେ ଯେ ସାହିତ୍ୟ କେବଳ ଲେଖକର ବୌଦ୍ଧିକ ଉତ୍ତରଣ ନୁହେଁ ବରଂ ଏହା ମଣିଷର ସୁଖଦୁଃଖ, ଅଶ୍ରୁ, ଆନନ୍ଦ, ସଂଘର୍ଷ ସଂଘାତର ଏକ ଚଳନ୍ତି ଦସ୍ତାବିଜ୍‌ । ସୁଜାତାଙ୍କ ଉପନ୍ୟାସ ସୁଖପାଠୀ ଏବଂ ଏଥିରେ ବହୁ ଚରିତ୍ରର ଅବତାରଣା ମଧ୍ୟରେ ଅନେକ ନୂଆ ଏବଂ ଅଜଣା ତଥ୍ୟ ଭରିଛନ୍ତି ଲେଖିକା ଯାହା ସ୍ୱାଗତଯୋଗ୍ୟ ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକା ଭାନୁମତି ସାହୁ ଓଡ଼ିଶା ସାହିତ୍ୟରେ ଉପନ୍ୟାସ ଲେଖିବାର ଧାରା ଏବଂ ଯାତ୍ରା କିଭଳି ଅବାରିତ ଜାରି ରହିଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ ।

ପୁସ୍ତକର ସମୀକ୍ଷା କରି ବିଶିଷ୍ଟ କବି ରକ୍ଷକ ନାୟକ ଲେଖିକାଙ୍କ ସାରସ୍ୱତ ଯାତ୍ରା ଆହୁରି ପ୍ରଭାବଶାଳୀ ହେଉ ବୋଲି ମତବ୍ୟକ୍ତ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ପ୍ରାରମ୍ଭିକ ବକ୍ତବ୍ୟ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ସୁଲେଖିକା ସୁଜାତା ଆଚାର୍ଯ୍ୟ ନିଜର ଲେଖକୀୟ ଅଭିବ୍ୟକ୍ତିରେ ସାହିତ୍ୟ ପ୍ରତି ତାଙ୍କର ଅନୁରାଗ ହିଁ ତାଙ୍କୁ ଏଭଳି ପ୍ରୟାସ ପାଇଁ ପ୍ରେରଣା ଦେଇଛି ବୋଲି କହିଥିଲେ । କବି ତଥା ସଂଯୋଜିକା ଚମକ ଚାନ୍ଦିନୀ ଦାଶ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଏହି ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ, ରମାଦେବୀ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ପୁସ୍ତକର ପୂର୍ବାଙ୍ଗ ପ୍ରକାଶନୀ ମାଧ୍ୟମରେ ପ୍ରକଶିତ ହୋଇଛି ।

Leave A Reply

Your email address will not be published.