ନୂଆଦିଲ୍ଲୀ: କ୍ରିକେଟର ନିୟମ ପ୍ରସ୍ତୁତ କରୁଥିବା ମେରିଲବୋନ କ୍ରିକେଟ କ୍ଲବ (ଏମସିସି) ଟେଷ୍ଟରେ ଏକ ବଡ ପରିବର୍ତନ କରିଛି । ନୂତନ ନିୟମ ଅନୁସାରେ ଟେଷ୍ଟ ମ୍ୟାଚର ପ୍ରତ୍ୟେକ ଦିବସର ଅନ୍ତିମ ଓଭରରେ ୱିକେଟ ପତନ ହେବା ପରେ ମ୍ୟାଚ ବନ୍ଦ କରାଯାଉଥିଲା । ଏବେ ଏଥିରେ ପରିବର୍ତନ କରାଯାଇ ଓଭର ଶେଷ ପର୍ଯ୍ୟନ୍ତ ମ୍ୟାଚ ଖେଳାଯିବ ବୋଲି ନିଷ୍ପତି ନିଆଯାଉଛି । ଏହା ଦ୍ୱାରା ଭଲ ପ୍ରଦର୍ଶନ କରୁଥିବା ଦଳ ବିପକ୍ଷ ଟିମ ଉପରେ ଚାପ ପକାଇବାରେ ସଫଳ ହେବେ । ପୂର୍ବରୁ ୧୨.୫.୨ ନିୟମ ଅନୁସାରେ ଶେଷ ଓଭରରେ ୱିକେଟ ପଡିବା ମାତ୍ରେ ଖେଳକୁ ସେଠାରେ ବନ୍ଦ କରାଯାଉଥିଲା ।
ସେହିପରି ମହିଳା କ୍ରିକେଟରେ ବ୍ୟବହାର ହେଉଥିବା ବଲରେ ମଧ୍ୟ ପରିବର୍ତନ କରାଯାଇଛି । ପୂର୍ବରୁ ମହିଳା କ୍ରିକେଟରେ ୧୪୦ରୁ ୧୫୧ ଗ୍ରାମ ମଧ୍ୟରେ ଥିବା ବଲକୁ ବ୍ୟବହାର କରାଯାଉଥିଲା । ଯାହାର ଆକାର ୨୧ରୁ ୨୨.୫ ସେଂଟିମିଟର ମଧ୍ୟରେ ରହୁଥିଲା । ଏବେ ନୂତନ ନିୟମ ଅନୁସାରେ ବଲର ଓଜନ ୧୪୦ରୁ ୧୪୯ ପର୍ଯ୍ୟନ୍ତ କରାଯାଇଛି । ସେହିପରି ବଲର ଆକାର ୨୧.୫ରୁ ୨୨ ସେଂଟିମିଟର ମଧ୍ୟରେ ରହିବ । ଜୁନିୟର କ୍ରିକେଟ(୧୩ ବର୍ଷରୁ କମ)ରେ ୧୩୩ରୁ ୧୪୪ ଗ୍ରାମ ଓଜନ ମଧ୍ୟରେ ବଲ ବ୍ୟବହାର କରାଯାଉଥିଲା । ଏବେ ଏହାକୁ ୧୪୦ରୁ ୧୪୪ ମଧ୍ୟରେ ରଖାଯାଇଛି । ସେହିପରି ବଲର ଆକାର ୨୧.୫ ରୁ ୨୨ ବଦଳରେ ୨୦.୫ରୁ ୨୧ ମଧ୍ୟରେ ରଖାଯାଇଛି ।