ଭୁବନେଶ୍ୱର: ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ବଡ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ପୁଣି ଟଙ୍କା ଫେରସ୍ତ ପାଇଁ ସମୟ ଦେଲେ ରାଜ୍ୟ ସରକାର । ରାଜ୍ୟ ସରକାର ଜାନୁଆରୀ ୩୧ ଅବଧିକୁ ମାର୍ଚ୍ଚ ୩୧ ଯାଏ ବଢାଇଛନ୍ତି । ଫଳରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଟଙ୍କା ଫେରସ୍ତ ପ୍ରକ୍ରିୟା ଜାରି ରହିବ ।
ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ପ୍ରମାଣପତ୍ର ଦେଇ ଆରଆଇଙ୍କ ନିକଟରେ ଆବେଦନ କରିପାରିବେ । ଆବେଦନର ୧୫ ଦିନ ଭିତରେ ଜମାକାରୀ ଟଙ୍କା ଫେରିପାଇବେ । ୮ରୁ ୧୦ ହଜାର କ୍ଷୁଦ୍ର ଜମାକାରୀଙ୍କୁ ରାଜ୍ୟ ସରକାର ଟଙ୍କା ଦେଉଛନ୍ତି ।
୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା କ୍ଷୁଦ୍ର ଜମାକାରୀ ସେମାନଙ୍କ ଟଙ୍କା ଫେରସ୍ତ ପାଇବେ। ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ସମୂହର ପ୍ରଥମ ପର୍ଯ୍ୟାୟରେ ଫେରସ୍ତ ପାଇନଥିବା କ୍ଷୁଦ୍ର ଜମାକାରୀ ଟଙ୍କା ପାଇବେ ।
ଜମାକାରୀମାନେ ପରିଚୟ ପତ୍ର ଯଥା ଆଧାର କାର୍ଡ, ଭୋଟର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ କାର୍ଡ, ମୂଳ ଜମା ରସିଦ୍, ବ୍ୟାଙ୍କ ଖାତା ନମ୍ଵର, ବ୍ୟାଙ୍କ ନାମ, IFSC ସହ ଆରଆଇଙ୍କ ପାଖରେ ଯୋଗାଯୋଗ କରିବେ । ଏହାର ୧୫ ଦିନ ମଧ୍ୟରେ ସେମାନଙ୍କର ଜମା ଟଙ୍କା ଫେରି ପାଇବେ ।
ନିଜ ଜିଲ୍ଲାର ସରକାରୀ ୱେବସାଇଟରେ ଫେରସ୍ତ ପାଇନଥିବା ଜମାକାରୀଙ୍କର ସମ୍ପୂର୍ଣ୍ଣ ତାଲିକା ରହିଛି । ଏହା ବାଦ୍ ତଦନ୍ତ କମିଶନ ରିପୋର୍ଟ ପାଇଁ ଜମାକାରୀଙ୍କ ନାମ/ଆଫିଡେଭିଟ୍ ନମ୍ଵର ଏବଂ ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ପାଇଁ ଜମାକାରୀଙ୍କ ନାମ/ଆପ୍ଲିକେସନ ନମ୍ଵର www.opid.odisha.gov.inରେ ଦେଇ ସେମାନଙ୍କ ଆବେଦନ ପତ୍ରର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଜାଣିପାରିବେ ।