ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କୋର୍ଟକୁ ବୋମା ଧମକ ଆସିବା ପରେ ଏଜି ପିତାମ୍ବର ଆଚାର୍ଯ୍ୟ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । କେହି ଏହି ଧମକରେ ଆତଙ୍କିତ ହୁଅନାହିଁ ଷ କେବଳ ଭୟ ସୃଷ୍ଟି ପାଇଁ ଏଭଳି ଧମକ ଆସିଛି । ବିଭିନ୍ନ ସମୟରେ ଆତଙ୍କୀ ଭୟ ସୃଷ୍ଟି ପାଇଁ ଏଭଳି କରନ୍ତି ବୋଲି ସେ କହିଛନ୍ତି । ଧମକ ମିଳିଲା ଏହାର ଅର୍ଥ ନୁହେଁ ଯେ ସରକାର ଏହାକୁ ହାଲୁକାରେ ନେଇଛନ୍ତି, ସରକାର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି, ଯାଞ୍ଚ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ମନିଟରିଂ କରୁଛନ୍ତି, କୋର୍ଟ ସୁରକ୍ଷାକୁ ନେଇ ସାଲିସ କରାଯିବନି । କେଉଁଠୁ ମେଲ ଆସୁଛି ସୋର୍ସ ଖୋଜା ଚାଲିଛି, ସୋର୍ସ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
ସୂଚନା ଥାଉକି ଓଡ଼ିଶାର ବିଭିନ୍ନ ଜିଲା କୋର୍ଟକୁ ବୋମାରେ ଉଡ଼ାଇ ଦେବା ପାଇଁ ଧମକ ମିଳିଛି। ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। କଟକ, ପୁରୀ, ସମ୍ବଲପୁର ଏବଂ ଫୁଲବାଣୀ କୋର୍ଟ ପରିସରରେ ଏବେ ହାଇ-ଆଲର୍ଟ ଜାରି କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି।
କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଏକ ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ କଟକରେ ଆଲର୍ଟ ଜାରି ହୋଇଛି। ପୋଲିସ ତୁରନ୍ତ କୋର୍ଟ ପରିସରକୁ ଖାଲି କରିବା ସହ ବୋମା ନିଷ୍କ୍ରିୟକାରୀ ଦଳ ସାହାଯ୍ୟରେ ଖାନତଲାସୀ ଆରମ୍ଭ କରିଛି। ପୁରୀ ଏବଂ ସମ୍ବଲପୁର ଜିଲା ଜଜ୍ କୋର୍ଟକୁ ମଧ୍ୟ ସମାନ ଧରଣର ଧମକ ମିଳିଛି। ସମ୍ବଲପୁରରେ ବମ୍ ଓ ଡଗ୍ ସ୍କ୍ୱାଡ୍ ଦ୍ୱାରା ପ୍ରତ୍ୟେକ କୋଣକୁ ଯାଞ୍ଚ କରାଯାଉଛି।ଫୁଲବାଣୀରେ ମଧ୍ୟ ସୁରକ୍ଷା ଯାଞ୍ଚକୁ ଜୋରଦାର କରାଯାଇଛି। କୋର୍ଟ ପରିସର ଭିତରକୁ ଅଣ-ଅଧିକୃତ ବ୍ୟକ୍ତିଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି କୋର୍ଟ କାର୍ଯ୍ୟକୁ କିଛି ସମୟ ପାଇଁ ବାଧିତ କରାଯାଇଛି।