ନୂଆଦିଲ୍ଲୀ: ହିନ୍ଦୁ ଧର୍ମ ଅନୁସାରେ ହୋଲିକା ଦହନକୁ ବିଶ୍ୱାସ ଏବଂ ଅଧର୍ମ ଉପରେ ଧର୍ମର ବିଜୟ ଭାବରେ ପାଳନ କରାଯାଇଥାଏ। ଏଥିସହିତ ଏହିଦିନକୁ ଜୀବନରୁ ନକାରାତ୍ମକ ଶକ୍ତିର ବିନାଶ ଭାବରେ ମଧ୍ୟ ପାଳନ କରାଯାଇଥାଏ।
ଚଳିତ ବର୍ଷ ହୋଲିକା ଦହନ ୩ ମାର୍ଚ୍ଚରେ ପାଳିତ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ପର୍ବକୁ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଉଛି କାରଣ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମଧ୍ୟ ଏହି ଦିନରେ ହେବାକୁ ଯାଉଅଛି। ଯାହାକି ଭାରତରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ। ତେବେ ଚଳିତ ବର୍ଷ ମାର୍ଚ୍ଚ ୩ରେ ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୬.୨୬ରେ ଆରମ୍ଭ ହୋଇ ସନ୍ଧ୍ୟା ୬.୪୬ରେ ଶେଷ ହେବ।ଏହି ଚନ୍ଦ୍ରଗ୍ରହଣର ମୋଟ ଅବଧି ପ୍ରାୟ ୨୦ ମିନିଟ୍ ରହିବ। ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେଉଥିବାରୁ ସୂତକ ସମୟ ମଧ୍ୟ ବୈଧ ହେବ ଓ ସୂତକ ସମୟ ୩ ମାର୍ଚ୍ଚ ସକାଳ ୯:୩୯ ରେ ଆରମ୍ଭ ହେବ। ତେଣୁ ଏହି ସୂତକ ସମୟ ମଧ୍ୟରେ, ଯେକୌଣସି ଶୁଭ କାର୍ଯ୍ୟ, ପୂଜା, ହବନ କିମ୍ବା ନୂତନ କାର୍ଯ୍ୟ ଆରମ୍ଭ କରିବା ନିଷେଧ ରହିବ। ତେବେ ଏହି ସମୟରେ ଧାର୍ମିକ ନିୟମଗୁଡ଼ିକୁ କଡ଼ାକଡ଼ି ପାଳନ କରିବାକୁ ଜ୍ୟୋତିଷ ମାନଙ୍କ ତରଫରୁ ପରାମର୍ଶ ଦିଆଯାଇଛି।
ହୋଲିରେ ପଡୁଥିବା ଏହି ଚନ୍ଦ୍ରଗ୍ରହଣ ଏକ ଆଂଶିକ ଚନ୍ଦ୍ରଗ୍ରହଣ ହେବ। ଏହି ଗ୍ରହଣ ଭାରତ, ୟୁରୋପ, ଏସିଆ, ଉତ୍ତର ଏବଂ ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ ଏବଂ ଆଫ୍ରିକାର ଅନେକ ସ୍ଥାନରେ ଦୃଶ୍ୟମାନ ହେବ।
ଫାଲଗୁନ ପୂର୍ଣ୍ଣିମା ତିଥି ୨ ମାର୍ଚ୍ଚ, ୨୦୨୬ ରେ ସନ୍ଧ୍ୟା ୫:୫୫ ରେ ଆରମ୍ଭ ହୋଇ ପରଦିନ, ୩ ମାର୍ଚ୍ଚ, ସନ୍ଧ୍ୟା ୫:୦୭ ରେ ଶେଷ ହେବ। ତେଣୁ ୩ ମାର୍ଚ୍ଚରେ ହୋଲିକା ଦହନ କରାଯିବ ଓ ୪ ମାର୍ଚ୍ଚରେ ହୋଲି ପାଳନ କରାଯିବ। ଚନ୍ଦ୍ରଗ୍ରହଣ ସମାପ୍ତ ହେବା ପରେ ସନ୍ଧ୍ୟା ୬.୨୫ରୁ ରାତି ୮.୫୦ ପର୍ଯ୍ୟନ୍ତ ହୋଲିକା ଦହନର ଶୁଭ ସମୟ ରହିବା ନେଇ ଜ୍ୟୋତିଷ ମାନେ ସୂଚନା ଦେଇଛନ୍ତି।