ଭୁବନେଶ୍ୱର: ଆସନ୍ତା ୧୯ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦଶମ ଶ୍ରେଣୀ ପରୀକ୍ଷା। ଏହା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ୍ ପରୀକ୍ଷା ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା(ଓପନ ସ୍କୁଲ) ମଧ୍ୟ ସମାନ ଦିନରେ ହେବ । ଏଥର ରାଜ୍ୟର ୩୦୮୨ ସେଣ୍ଟରରେ ହେବ ମାଟ୍ରିକ୍ ପରୀକ୍ଷା। ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ନୋଡାଲ୍ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର। ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ରହିଛି। ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।
ପ୍ରଶ୍ନପତ୍ର ରଖିବା ପାଇଁ ୩୨୨ଟି ନୋଡାଲ୍ ସେଣ୍ଟର ରହିଛି। ମାଟ୍ରିକ୍ ପାଇଁ ୫ ଲକ୍ଷ ୬୧ ହଜାର ୯୭୯ ପିଲା ଫର୍ମ ଫିଲ୍ ଅପ୍ କରିଛନ୍ତି। କଟକ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ଷ୍ଟ୍ରଙ୍ଗରୁମ୍ରୁ ପ୍ରଶ୍ନପତ୍ର ନୋଡାଲ୍ ସେଣ୍ଟରକୁ ପଠାଇବା ପ୍ରକ୍ରିୟା ଆରମ୍ଭ ହେବ। ଆଜି ପ୍ରଥମ ଦିନ ଦୂରଦୂରାନ୍ତରେ ଥିବା ୫ଟି ଜିଲ୍ଲାକୁ ପ୍ରଶ୍ନପତ୍ର ପଠାଯିବ । ବୋର୍ଡ ଷ୍ଟ୍ରଙ୍ଗରୁମ୍ରୁ ନୋଡାଲ୍ ସେଣ୍ଟରକୁ ପ୍ରଶ୍ନପତ୍ର ନେବା ପାଇଁ ୪୯ଟି ଡେସପାଚ୍ ଟିମ୍ ଗଠନ ହୋଇଛି ।
ପ୍ରଶ୍ନପତ୍ର ନେବା ପାଇଁ ସେମି ଡିଜି ଲକର୍ ବ୍ୟବସ୍ଥା ହୋଇଛି । ପ୍ରଶ୍ନପତ୍ର କେଉଁ ରୁଟ୍ରେ ଯିବ ସେଥିପାଇଁ ରୁଟ୍ଚାର୍ଟ ପ୍ରସ୍ତୁତ ହୋଇଛି । ପ୍ରଶ୍ନପତ୍ର ନେଇ ଯାଉଥିବା ପ୍ରତି ଗାଡ଼ିରେ ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ସମେତ ଦୁଇ ଜଣ ବୋର୍ଡ କର୍ମଚାରୀ ଉପସ୍ଥିତ ରହିବେ । ପ୍ରଶ୍ନପତ୍ର ସୁରକ୍ଷିତ ରଖିବା ପାଇଁ ରାଜ୍ୟରେ ମୋଟ ୩୨୨ଟି ନୋଡାଲ୍ ସେଣ୍ଟର ହୋଇଥିବା ବେଳେ ଏଥିରେ ୧୭ଟି ପୁଲିସ ଷ୍ଟେସନ୍ ରହିଛି ।