ନୂଆଦିଲ୍ଲୀ: ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (ଏମ୍ସ) ମୁହଁ ପ୍ରତିରୋପଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତି ସମାପ୍ତ କରିଛି। ଏସିଡ୍ ଆଟାକ୍ ଓ ବର୍ନ ପୀଡ଼ିତଙ୍କ ପାଇଁ ଭଲ ଖବ ଆସିଛି। ଏଣିକି ଦିଲ୍ଲୀ ଏମ୍ସର ବର୍ନ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ‘ଫେସ୍ ଟ୍ରାନ୍ସପ୍ଲାଣ୍ଟ’ର ସୁବିଧା ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ଡାକ୍ତରମାନଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଇ ସାରିଛି। ଏହି ଅତ୍ୟାଧୁନିକ ଏବଂ ଜଟିଳ ପ୍ରକ୍ରିୟା ପ୍ରସ୍ତୁତି ପାଇଁ ଏକ ପାଞ୍ଚ ଦିନିଆ ବହୁ-ଦିବସୀୟ ଅନ୍ତର୍ଜାତୀୟ ଶିକ୍ଷାଗତ ତାଲିମ ଏବଂ ଏକ ସ୍ୱତନ୍ତ୍ର କାଡାଭେରିକ୍ କର୍ମଶାଳା ଆୟୋଜନ କରାଯାଇଥିଲା।
ଶୁକ୍ରବାର, ଏମ୍ସର ବର୍ନ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ମୁଖ୍ୟ ଡକ୍ଟର ମନୀଷ ସିଂଘଲ କହିଛନ୍ତି ଯେ ମୁହଁ ପ୍ରତିରୋପଣ ପାଇଁ ବୈଷୟିକ, ଚିକିତ୍ସା ଏବଂ ବହୁ-ଦିଗୀୟ ପ୍ରସ୍ତୁତି ସମାପ୍ତ ହୋଇଛି। ସରକାରୀ ଲାଇସେନ୍ସ ପାଇବା ପାଇଁ ଆଇନଗତ ପ୍ରକ୍ରିୟା ଏବେ ଚାଲିଛି। ଏମ୍ସରେ ବାର୍ଷିକ ପ୍ରାୟ ୩୦ ଜଣ ଏସିଡ୍ ପୀଡ଼ିତା ଏବଂ ୨ ହଜାରରୁ ଅଧିକ ପୋଡ଼ା ରୋଗୀ ଆସିଥାନ୍ତି। ଖୁବ୍ ଶୀଘ୍ର ରୋଗୀଙ୍କ ୱେଟିଂ ତାଲିକା ପ୍ରସ୍ତୁତ କରାଯିବ। ଏହି ସର୍ଜରୀ ସେହି ଲୋକଙ୍କ ପାଇଁ ବରଦାନ ସଦୃଶ ହେବ , ଯେଉଁମାନଙ୍କ ମୁହଁ ଏସିଡ୍ ଆଟାକ୍ , ଗୁରୁତର ଭାବେ ଜଳିଯାଇ ଥିବା କିମ୍ୱା କୌଣସି ଦୁର୍ଘଟଣାରେ ବିକୃତ ହୋଇ ଯାଇଥିବ।
ବିଭାଗ ଅଧ୍ୟକ୍ଷ ଡାକ୍ତର ସିଙ୍ଘଲଙ୍କ କହିବାନୁସାରେ , ଯଦି ସବୁ କିଛି ଠିକ୍ ରହେ ତ , ଦିଲ୍ଲୀ ଏମ୍ସ ଏକ ବର୍ଷରେ ଫେସ୍ ଟ୍ରାନ୍ସପ୍ଲାଣ୍ଟ ଆରମ୍ଭ କରିଦେବ। ଏହାପରେ ଗନସଟ୍,ଇଲେକ୍ଟ୍ରିକ୍ ବର୍ନ ଓ ଏସିଡ୍ ଆଟାକ୍ ଭଳି ଘଟଣା ଗୁଡ଼ିକରେ ଯେଉଁ ଲୋକଙ୍କର ମୁହଁ ଖରାପ ହୋଇ ସାରିଛି ,ତାଙ୍କର ଫେସ୍ ଟ୍ରାନ୍ସପ୍ଲାଣ୍ଟ କରାଯାଇ ପାରିବ।
ଏମ୍ସର ବର୍ନ ଆଣ୍ଡ ପ୍ଲାଷ୍ଟିକ୍ ସର୍ଜରୀର ବିଭାଗ ଅଧ୍ୟକ୍ଷ ଡା.ମନିଷ ସିଙ୍ଘଲ କହିଛନ୍ତି ଯେ, ବିଶ୍ୱରେ ଏବେସୁଦ୍ଧା ୮୦ଟି ଚେହେରା ପ୍ରତ୍ୟାରୋପଣ ହୋଇଛି। ଆମେରିକାରେ ସବୁଠୁ ଅଧିକ ହୋଇଛି। ଏସିଆରେ ଚୀନ ଓ ତୁର୍କୀରେ ଏମିତି ସର୍ଜରୀ ହୋଇଛି। ଭାରତରେ ଏବେସୁଦ୍ଧା ଏମିତି କୌଣସି ସର୍ଜରୀ ହୋଇ ନାହିଁ।
ବିଶେଷଜ୍ଞଙ୍କ ଅନୁସାରେ , ଫେସ୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ବ୍ରେନ୍ ଡେଡ୍ କାଡେଭର ଡୋନରର ଆବଶ୍ୟକ ହୋଇଥାଏ। ଡୋନର ଠାରୁ ରୋଗୀର କଲର , ଜେଣ୍ଡର ଓ ବୟସର ମଧ୍ୟ ମେଳ ହେବାର ଜରୁରୀ ହୋଇଥାଏ। ଦାନର ଦୁଇ ଘଣ୍ଟାରେ ପ୍ରତ୍ୟାରୋପଣ କରିବାକୁ ହୋଇଥାଏ। ଚେହେରା ପ୍ରତ୍ୟାରୋପଣ ପରେ ତ୍ୱଚାରେ ସମ୍ୱେଦନଶୀଳତା ଆସିବାରେ ପାଖାପାଖି ଛଅ ମାସ ଲାଗିଥାଏ। ହେଲେ ରୋଗୀଙ୍କୁ ସାରା ଜୀବନ ଇମ୍ୟୁନୋସ୍ପ୍ରେସନର ଔଷଧ ନେବାକୁ ହୁଏ। ସର୍ଜରୀରେ ୧୬ରୁ ୪୦ ଘଣ୍ଟା ଯାଏ ସମୟ ଲାଗେ। ସର୍ଜରୀ ଦୁଇଟି ପର୍ଯ୍ୟାୟରେ ହୋଇଥାଏ। ସର୍ଜରୀ ଜଟିଳ ହେବାସହ ଘଣ୍ଟା ଘଣ୍ଟା ଧରି ଚାଲିଥାଏ।