Latest Odisha News

BREAKING NEWS

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଆଜିଠୁ ଯୁକ୍ତ ୨ ପରୀକ୍ଷା। ପ୍ରଥମ ଦିନରେ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନଙ୍କ ମାତୃଭାଷା ପରୀକ୍ଷା ରହିଛି। ଆସନ୍ତାକାଲିଠୁ ଧନ୍ଦାମୂଳକ ଓ ୨୦ ତାରିଖରୁ କଳା ଓ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ପରୀକ୍ଷାରେ ରାଜ୍ୟର ୪ ଲକ୍ଷ ୧ ହଜାର ୬୨୩ ଶିକ୍ଷାର୍ଥୀ ପରୀକ୍ଷା ଦେବେ।

ପରୀକ୍ଷା ପରିଚାଳନା ପାଇଁ ସିଏଚ୍‌ଏସ୍‌ଇ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଛି। କପି ରୋକିବାକୁ ୧୨୦ କେନ୍ଦ୍ରୀୟ ସ୍କ୍ୱାଡ୍‌ ନିୟୋଜିତ କରାଯାଇଛି। ଏମାନେ ସମସ୍ତେ ଜିଲ୍ଲାରେ ପହଞ୍ଚି ସାରିଲେଣି। ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷ ସାରା ରାଜ୍ୟରେ ୧୩୫୭ଟି ପରୀକ୍ଷାକେନ୍ଦ୍ର ସହ ୭ଟି ଉପକେନ୍ଦ୍ର ହୋଇଛି। ୧୯୦୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪ଲକ୍ଷ ୧ହଜାର ୬୩୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

କଳାରେ ସର୍ବାଧିକ ୨ ଲକ୍ଷ ୫୬ ହଜାର ୭୦୭ ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୩୬୩, ବାଣିଜ୍ୟରେ ୨୪ହଜାର ୬୨୧ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୯୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଚଳିତ ଥର ୨୫ହଜାର ୮୮ ଜଣ ଏକ୍ସ ରେଗୁଲାର୍ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସିଏଚ୍‌ଏସ୍‌ଇର ସୂଚନା ଅନୁଯାୟୀ, ସମସ୍ତ କେନ୍ଦ୍ରରେ କପି ରୋକିବା ଲାଗି ୭୫ଟି ଜୋନାଲ୍‌ ସ୍କ୍ୱାଡ୍‌ ନିୟୋଜିତ କରାଯାଇଛି। ଏଥିସହ ୧୩୬୪ଟି ନିରୀକ୍ଷକ ସ୍କ୍ୱାଡ୍‌ ଓ ୧୩୬୪ଟି ଜିଲ୍ଲା ପ୍ରଶାସନ ସ୍କ୍ୱାଡ୍‌ ଅଛନ୍ତି।

ମାର୍ଚ୍ଚ ୨୫ ତାରିଖ ଯାଏ ପରୀକ୍ଷା ଚାଲିବ। ସକାଳ ୧୦ଟାରୁ ୧ଟା ଯାଏ ପରୀକ୍ଷା ହେବ। ସିଏଚ୍‌ଏସ୍‌ଇ ମୁଖ୍ୟାଳୟରେ କଣ୍ଟ୍ରୋଲରୁମ୍‌ କରାଯାଇଛି। ଏଠାରୁ ସିସିଟିଭି କ୍ୟାମେରା ଲାଇଭ୍‌କୁ ତର୍ଜମା କରାଯାଉଛି। ମୋବାଇଲ୍ ଓ ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀ ରୋକିବା ପାଇଁ ଦୁଇ ସ୍ତରୀୟ ଯାଞ୍ଚ ବ୍ୟବସ୍ଥା କରାଯାଇଛି । ପରୀକ୍ଷା ପୂର୍ବରୁ କଡ଼ା ସୁରକ୍ଷା ମଧ୍ୟରେ ମୋଟ୍ ୨୧୧ ଟି ହବ୍ ରେ ପ୍ରଶ୍ନପତ୍ର ରହିଛି । ଯେଉଁଠି ତ୍ରୁଟି ଅନୁଧ୍ୟାନ କରାଯିବ ସେଠାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି।

Leave A Reply

Your email address will not be published.