ପୁରୀ: ବିଧାନସଭାରେ ଉଠିଲା ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ । ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ପୁରୀ ଶ୍ରୀମନ୍ଦିର ଉପରେ ୨୦୨୪ ମସିହା ଜୁନରୁ ବର୍ତ୍ତମାନ ସୁଦ୍ଧା ବେଆଇନ ଭାବେ ୧୦ଥର ଉଡିଛି ଡ୍ରୋନ୍ । ୧୦ଟି ମାମଲାରୁ ୨ଟି ମାମଲାରେ ଫାଇନାଲ ଫର୍ମ ପ୍ରଦାନ କରାଯାଇଛି । ବଳକା ୮ଟି ମାମଲାର ତଦନ୍ତ ଜାରି ରହିଛି ।
ସେହିପରି, ଜୁନ୍ ୨୦୨୪ରୁ ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ପରିସରକୁ ୭୦୦ ଜଣ ବ୍ୟକ୍ତି ଅନଧିକୃତ ଭାବେ ମୋବାଇଲ ଫୋନ ଧରି ପ୍ରବେଶ କରିଛନ୍ତି । ଯେଉଁଥିପାଇଁ ୬ ଲକ୍ଷ ୯୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ଏହି ଘଟଣାରେ ସିଂହଦ୍ଵାର ଥାନାରେ ୯ଟି ମାମଲା ରୁଜ୍ଜୁ କରାଯାଇଥିବା ବେଳେ ୭ ଟିର ଫଇସଲା ହୋଇଛି ଓ ୨ଟି ମାମଲାର ତଦନ୍ତ ଚାଲିଛି ।
ଶ୍ରୀମନ୍ଦିର ଭିତରେ/ପରିସରରେ ବେଆଇନ ଭାବେ ଫଟୋ/ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ୮ ଥର ପ୍ରସାରଣ କରିଥିବାର ନଜରକୁ ଆସିଥିବାରୁ ସିଂହଦ୍ବାର ଥାନାରେ ୮ଟି ମାମଲା ରୁଜୁ କରାଯାଇଛି । ସେଥିମଧ୍ୟରୁ ୫ଟି ମାମଲାର ତଦନ୍ତ ସରିଛି ଓ ୩ଟି ମାମଲା ବିଚାରାଧୀନ ଅଛି ବୋଲି ତଥ୍ୟ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ।