ଇସଲାମାବାଦ: ଆଫଗାନିସ୍ତାନ ଭିତରେ ପଶି ଏୟାର୍ ଷ୍ଟ୍ରାଇକ୍ କଲା ପାକିସ୍ତାନ। ରବିବାର ସକାଳେ ପାକିସ୍ତାନ ଆଫଗାନିସ୍ତାନ ଭିତରେ ଅନେକ ସ୍ଥାନରେ ଏୟାର୍ ଷ୍ଟ୍ରାଇକ୍ କରିଛି। ପାକିସ୍ତାନ କହିଛି ଯେ, ଏହି ଆକ୍ରମଣରେ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା। ସୂତ୍ର ଅନୁଯାୟୀ ଆକ୍ରମଣରେ ୨୮ ଜଣ ଟିଟିପି ସଦସ୍ୟଙ୍କ ମୃତ୍ୟୁ ଘଟିଛି।
ତେବେ କାବୁଲର ତାଲିବାନ ପ୍ରଶାସନ ଏପର୍ଯ୍ୟନ୍ତ ଏହାକୁ ସରକାରୀ ଭାବରେ ନିଶ୍ଚିତ କରିନାହିଁ। ଆଫଗାନ ଗଣମାଧ୍ୟମ ଟୋଲୋ ନ୍ୟୁଜ୍ ରିପୋର୍ଟ କରିଛି ଯେ, ପାକିସ୍ତାନୀ ଲଢୁଆ ବିମାନ ଆଜି ସକାଳେ ସୀମାନ୍ତ ପ୍ରଦେଶ ପାକତିକାର ବାର୍ମଲ ଓ ଉରଗୁନ୍ ଜିଲ୍ଲାରେ ଏୟାର୍ ଷ୍ଟ୍ରାଇକ୍ କରିଛି। ନାଙ୍ଗରହାର ପ୍ରଦେଶର ଖୋଗିଆନି ଜିଲ୍ଲାରେ ମଧ୍ୟ ଏୟାର୍ ଷ୍ଟ୍ରାଇକ୍ କରାଯାଇଛି।
ଅନ୍ୟପଟେ ପାକିସ୍ତାନରେ ପୂର୍ବତନ ଆଫଗାନିସ୍ତାନ ରାଷ୍ଟ୍ରଦୂତ ଅବଦୁଲ ସଲାମ ଜୈଫ୍ କହିଛନ୍ତି, ନାଙ୍ଗରହାର ଓ ପାକଟିକା ଉପରେ ପାକିସ୍ତାନୀ ଶାସକଙ୍କ ଦ୍ୱାରା କରାଯାଇଥିବା ଆକ୍ରମଣ ଦେଶର ସାର୍ବଭୌମତ୍ୱର ଉଲ୍ଲଂଘନ। ଏହା ଏକ ଅନ୍ୟାୟ ଓ କାପୁରୁଷତାପୂର୍ଣ୍ଣ କାର୍ଯ୍ୟ। ପାକିସ୍ତାନ ନିଜର ଦାୟିତ୍ୱରୁ ଖସିବାକୁ ଚେଷ୍ଟା କରୁଛି।
ନିଜର ଘରୋଇ ବିଫଳତାକୁ ଲୁଚାଇବା ପାଇଁ ନିରୀହ ଲୋକଙ୍କୁ ଟାର୍ଗେଟ କରୁଛି। ଏହି ଆକ୍ରମଣ ଆଫଗାନିସ୍ତାନର ଅନ୍ତର୍ଜାତୀୟ ଆଇନ, ପଡ଼ୋଶୀ ନୀତି ଓ ଇସଲାମିକ ମୂଲ୍ୟବୋଧର ସ୍ପଷ୍ଟ ଉଲ୍ଲଂଘନ । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ନାଗରିକ ଓ ଧାର୍ମିକ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ ପାକିସ୍ତାନୀ ସେନାର ଗୁପ୍ତଚର ତଥା ସୁରକ୍ଷା ବିଫଳତାର ସ୍ପଷ୍ଟ ପ୍ରମାଣ। ଏଭଳି ବାରମ୍ବାର ଆକ୍ରମଣ କେବେବି ସେମାନଙ୍କର ବିଫଳତାକୁ ଲୁଚାଇ ପାରିବ ନାହିଁ।
ପାକିସ୍ତାନର ସୂଚନା ମନ୍ତ୍ରୀ, ଅତାଉଲ୍ଲାହ ତାରାର, ରବିବାର ସକାଳେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏୟାର୍ ଷ୍ଟ୍ରାଇକ୍ ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି, ପାକିସ୍ତାନୀ ସେନା ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଏବଂ ଏହାର ସହଯୋଗୀଙ୍କ ଶିବିର ଉପରେ ଗୋଇନ୍ଦା-ଭିତ୍ତିକ ଚୟନିତ ଅପରେସନ ଚଳାଇଛି। ସୀମାନ୍ତ ଅଞ୍ଚଳରେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଗୋଷ୍ଠୀ ସହିତ ଜଡିତ ଏକ ଗୋଷ୍ଠୀକୁ ମଧ୍ୟ ଟାର୍ଗେଟ କରାଯାଇଛି। ପାକିସ୍ତାନ ସର୍ବଦା ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଚେଷ୍ଟା କରିଆସିଛି। ପାକିସ୍ତାନୀ ନାଗରିକଙ୍କ ସୁରକ୍ଷା ସର୍ବୋପରି ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।