ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ସୁପର ଏଇଟରେ ଭାରତ ନୈରାଶ୍ୟଜନକ ଭାବେ ପରାଜୟ ସହ ଅଭିଯାନ ଆରମ୍ଭ କରିଛି । ଟପ ଅର୍ଡରର ବିଫଳତା ଟିମ ଇଣ୍ଡିଆର ପରାଜୟର କାରଣ ଭାବେ ବିବେଚନା କରାଯାଇଛି । ଇତି ମଧ୍ୟରେ ଓପନର ଅଭିଷେକ ଶର୍ମାଙ୍କ ସମ୍ପର୍କରେ ଟିମ ଇଣ୍ଡିଆ ଏକ ବଡ କଥା ଲୁଚାଇ ରଖିଥିଲା ବୋଲି ଖବର ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ଟିମ ଅଫିସିଆଲ ଫଟୋଶୁଟ ବେଳେ ଅଭିଷେକଙ୍କ ହାତ କଟି ଯାଇଥିଲା । ଏଥିପାଇଁ ତାଙ୍କୁ ଷ୍ଟିଚ ଲଗାଇବାକୁ ପଡିଥିଲା । ଅଭିଷେକ ଆଘାତପ୍ରାପ୍ତ ଥିବା ସତ୍ୱେ ଟିମ ଇଣ୍ଡିଆ ତାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିଥିଲା । ଅଭିଷେକ ଏହି କାରଣ ଯୋଗୁ ସ୍ୱାଭାବିକ ପ୍ରଦର୍ଶନ ମଧ୍ୟ କରିପାରୁ ନାହାନ୍ତି ।
ଦ୍ୱିତୀୟ ମ୍ୟାଚରେ ପେଟ ଇନଫେକଶନ ଅଛି ବୋଲି କହି ତାଙ୍କୁ ଖେଳା ଯାଇ ନ ଥିଲା । ପାକିସ୍ତାନ ବିପକ୍ଷ ମୁକାବିଲାରେ ସେ ପୂନର୍ବାର ଖେଳିଥିଲେ । ସେ ଇତି ମଧ୍ୟରେ ୪ଟି ମ୍ୟାଚରେ ୧୫ ରନ କରିଛନ୍ତି । ସଞ୍ଜୁ ସାମସନଙ୍କ ଉପସ୍ଥିତ ସତ୍ୱେ ଟିମ ମ୍ୟାନେଜମେଂଟ ଅଭିଷେକଙ୍କୁ ଆଘାତପ୍ରାପ୍ତ ଅବସ୍ଥାରେ ଖେଳାଇବା ନିଶ୍ଚିତ ଭାବେ ଏକ ମୂର୍ଖାମୀର ପରିଚୟ । ତେବେ ଏହି ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସମ୍ମୁଖକୁ ଆସି ନ ଥିବାରୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । ବର୍ତମାନ ପରିସ୍ଥିତିରେ ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ ଭାରତକୁ ବାକି ୨ଟି ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ଜିମ୍ବାୱେ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଏହି ମ୍ୟାଚ ଖେଳିବ ।